ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ବଲିଉଡର ଚର୍ଚ୍ଚିତ ଅଭିନେତା କାର୍ତ୍ତିକ ଆର୍ୟନ। ପୂର୍ବରୁ ଅନେକ ହିରୋଇନଙ୍କ ସହ ତାଙ୍କ ନାମ ଯୋଡ଼ାଯାଇଛି। ହେଲେ ସେସବୁ ବେଶି ଦିନ ଚାଲିନାହିଁ। ଏବେ ତାଙ୍କ ନାମ ସୁନ୍ଦରୀ ଶ୍ରୀଲିଲାଙ୍କ ସହ ଯୋଡ଼ାଯାଉଛି। ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ବଲିଉଡ ଗଳିକନ୍ଦିରେ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ କିମ୍ବା ଭିଡିଓ ବେଶ ଭାଇରାଲ ହେଉଛି।
ଅନୁରାଗ ବସୁଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ କାର୍ତ୍ତିକ ଏବଂ ଶ୍ରୀଲିଲା। ଏହା ପୂର୍ବରୁ ଶ୍ରୀଲିଲାଙ୍କ ଜନ୍ମଦିନ ଅବସରରେ କାର୍ତ୍ତିକ ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବୁଧବାର ରାତିରେ ଏହି କଥିତ ଯୋଡ଼ି ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର ଏକ ହୋଟେଲ ବାହାରେ ଏକାଠି ନଜର ଆସିଥିଲେ। ଉଭୟଙ୍କ ମୁହଁର ହସ ସେମାନଙ୍କ ସମ୍ପର୍କ ଉପରେ ମୋହର ମାରିବା ଭଳି ମନେ ହୋଇଥିଲା। ତେବେ ଏହାକୁ ଦେଖି ଅନେକେ ଦୁହେଁ ବିବାହ କରିପାରନ୍ତି ବୋଲି କହୁଛନ୍ତି।
କହିରଖୁଛୁ, କାର୍ତ୍ତିକ-ଶ୍ରୀଲିଲାଙ୍କ ଫିଲ୍ମ ଏକ ରୋମାଣ୍ଟିକ୍ ମ୍ୟୁଜିକାଲ ଡ୍ରାମା। ୨୦୨୫ ଦୀପାବଳି ଅବସରରେ ଏହାକୁ ରିଲିଜ କରାଯିବ। ଏହି ଫିଲ୍ମ ବ୍ୟତିତ କାର୍ତ୍ତିକ ‘ତୁ ମେରୀ ମେ ତେରା…’ ଏବଂ ନାଗଜିଲାର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ତାଙ୍କ ନାୟିକା ଅନନ୍ୟା ପାଣ୍ଡେ ରହିବେ।