ନୂଆଦିଲ୍ଲୀ,୧୯।୧: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ଶେୟାର କରି ଅଡୁଆରେ ପଡ଼ିଛନ୍ତି। ସନାତନ ଧର୍ମ ଏବଂ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି ହୋଇଛି। କରଣୀ ସେନା ପକ୍ଷରୁ ଏହି ଅଭିଯୋଗ ଅଣାଯିବା ସହ ରିଙ୍କୁଙ୍କ ମାନସିକତାକୁ ‘ଜିହାଦୀ’ ବୋଲି କୁହାଯାଇଛି।
ରିପୋର୍ଟ ଅନୁସାରେ ରିଙ୍କୁ ସିଂହ ନିଜ ଇନଷ୍ଟାଗ୍ରାମରେ ଏକ ଏଆଇ ଭିଡିଓ ଶେୟାର କରିଥିଲେ। ଏଥିରେ ପ୍ରଭୁ ହନୁମାନ ଏକ କାର୍ ଚଲାଉଥିବା ବେଳେ ପ୍ରଭୁ ଗଣେଶ, ଶିବ ଏବଂ ବିଷ୍ଣୁ ସେହି କାରରେ ସବାର ହୋଇଥିବା ଦେଖାଯାଇଛି।
ଭିଡିଓରେ ରିଙ୍କୁ ସିଂହ ପଡ଼ିଆରେ ଛକା ମାରୁଥିବା ଦୃଶ୍ୟ ସହ “ଆପଣଙ୍କୁ ସଫଳତା କିଏ ଦେଇଛି?” ବୋଲି ପ୍ରଶ୍ନ ଲେଖାଯାଇଛି। ଏହାର ଉତ୍ତରରେ ଦେବଦେବୀମାନେ କଳା ଚଷମା ପିନ୍ଧି ଗାଡ଼ିରେ ଯାଉଥିବା ଦୃଶ୍ୟ ପ୍ରଦର୍ଶନ କରାଯାଇଛି।
କରଣୀ ସେନାର ଆଲିଗଡ଼ ଜିଲା ସଭାପତି ସୁମିତ ତୋମାର ଥାନାରେ ଲିଖିତ ଅଭିଯୋଗ କରି କହିଛନ୍ତି ଯେ, ଏହି ଭିଡିଓ ଜରିଆରେ ହିନ୍ଦୁ ଦେବଦେବୀଙ୍କ ମର୍ଯ୍ୟାଦା ହାନି କରାଯାଇଛି। ଏହା କୋଟି କୋଟି ସନାତନୀଙ୍କ ଜନଭାବନାକୁ ଆହତ କରିଛି। ପୋଲିସ ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ଥାନା ଅଧିକାରୀ ମନୋଜ କୁମାରଙ୍କ କହିବା ଅନୁଯାୟୀ, ଅଭିଯୋଗ ମିଳିବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ତଦନ୍ତ ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।