ଅଡୁଆରେ କର୍ଣ୍ଣାଟକ ସରକାର: ୬,୦୦୦ କୋଟିର ମଦ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ,୨୭।୧: କର୍ଣ୍ଣାଟକର କଂଗ୍ରେସ ସରକାର ଏକ ବଡ଼ ଧରଣର ଦୁର୍ନୀତି ଅଭିଯୋଗର ଘେରକୁ ଆସିଛନ୍ତି। ରାଜ୍ୟ ଅବକାରୀ ବିଭାଗରେ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୬,୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କର୍ଣ୍ଣାଟକ ୱାଇନ୍ ମର୍ଚାଣ୍ଟ ଆସୋସିଏସନ ଗୁରୁତର ଅଭିଯୋଗ ଆଣିଛି। ଏହି ବିଷୟରେ ଅବଗତ କରିବା ପାଇଁ ସଙ୍ଘ ପକ୍ଷରୁ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିବାକୁ ନିଷ୍ପତ୍ତି ନିଆଯାଇଛି।

ଆସୋସିଏସନ ସଭାପତି ଗୁରୁସ୍ୱାମୀଙ୍କ କହିବା ଅନୁଯାୟୀ, ବେଙ୍ଗାଲୁରୁରେ ଗୋଟିଏ ହୋଟେଲ ଓ ବୋର୍ଡିଂ ବାର୍ ଲାଇସେନ୍ସ ପାଇଁ ଅଞ୍ଚଳ ଭିତ୍ତିରେ ୧ ରୁ ୨ କୋଟି ଟଙ୍କା ଦାବି କରାଯାଉଛି।

ଲାଇସେନ୍ସ ପାଇଁ ପ୍ରାୟ ୩୦ ରୁ ୭୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହେଉଛି। ଏହି ଅର୍ଥ କେବଳ ମନ୍ତ୍ରୀ ନୁହେଁ, ବରଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଖକୁ ମଧ୍ୟ ଯାଉଥିବା ଅଭିଯୋଗ ହୋଇଛି।

୨୦୨୪ରେ ମଧ୍ୟ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଲୋକାୟୁକ୍ତଙ୍କୁ ଚିଠି ଲେଖି ଅବକାରୀ ମନ୍ତ୍ରୀ ଆର.ବି. ତିମ୍ମାପୁରଙ୍କ ବିରୋଧରେ ୭୦୦ କୋଟିର ଦୁର୍ନୀତି ଅଭିଯୋଗ ଅଣାଯାଇଥିଲା। ଏଥିରେ ୩ ଜଣ ଡେପୁଟି କମିଶନରଙ୍କ ସମେତ ୪୦ରୁ ଅଧିକ ଅଧିକାରୀଙ୍କ ନାମ ରହିଥିଲା।

ଅବକାରୀ ମନ୍ତ୍ରୀ ଆର.ବି. ତିମ୍ମାପୁର ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଏହି ଅଭିଯୋଗର କୌଣସି ପ୍ରମାଣ ଅଛି କି? ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ମୁଁ ବିଧାନସଭା ଗୃହରେ ଏହାର ଉପଯୁକ୍ତ ଜବାବ ଦେବି।”

Share