‘ବାପା ମୋର ପିରିୟଡ୍ସ…’, ନେହୁରା ପରେ ବି ତରଳିଲାନି ହୃଦୟ, ପାଞ୍ଚ ହଜାର ପାଇଁ ଝିଅକୁ ବିକିଦେଲେ

ନୂଆଦିଲ୍ଲୀ,୭ା୧:  ସମାଜରେ ଜଣେ ପିତାଙ୍କୁ ତାଙ୍କ ପିଲାମାନଙ୍କର ରକ୍ଷକ ବୋଲି ବିବେଚନା କରାଯାଏ । କିନ୍ତୁ କର୍ଣ୍ଣାଟକର ଚିକ୍କାମାଗାଲୁରୁ ଜିଲାର ବିରୁରରୁ ଏକ ଘଟଣା ସାମ୍ନାକୁ ଆସିଛି ଯାହା ମାନବିକତାକୁ ଲଜ୍ଜିତ କରିଛି । ଜଣେ ପିତା ଟଙ୍କା ଲୋଭରେ ନିଜ ନାବାଳିକା ଝିଅକୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରିଥିବା ନେଇ ଅଭିଯୋଗ ହୋଇଛି। ଝିଅର ଜେଜେମା ମଧ୍ୟ ଏହି ଘୃଣ୍ୟ ଅପରାଧରେ ସାମିଲ ଥିଲେ। ପୋଲିସ ଏପର୍ଯ୍ୟନ୍ତ ବାପା ଏବଂ ଜେଜେମା ସମେତ ବାରଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୀଡିତାଙ୍କ ମାଆଙ୍କର କିଛି ଦିନ ପୂର୍ବରୁ ମୃତ୍ୟୁବରଣ କରିଥିଲେ, ଯାହା ପରେ ସେ ସମ୍ପର୍କୀୟମାନଙ୍କ ସହିତ ରହି ପାଠପଢ଼ୁଥିଲେ। ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ, ସେ ତାଙ୍କ ବାପାଙ୍କ ଘରକୁ ଫେରି ଆସିଥିଲେ। ବାପାଙ୍କ ପାଖରେ ସୁରକ୍ଷିତ ରହିବାକୁ ଭାବିଥିଲେ ହେଁ ସବୁ ଓଲଟା ହୋଇଥିଲା । ଡିସେମ୍ବର ମାସରେ, ବାପା ତାଙ୍କ ଝିଅକୁ ତାଙ୍କ ଜେଜେମାଙ୍କ ଘରକୁ ନେଇଗଲେ। ଦୁଇ ଦିନ ରହିବା ସମୟରେ, ଜେଜେମା ଏବଂ ବାପା ଝିଅକୁ ବିକ୍ରୟ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଏହି ସମୟରେ, ଭରତ ଶେଟ୍ଟି ନାମକ ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ବାପାଙ୍କୁ ପ୍ରଲୋଭିତ କରି କହିଥିଲେ ଯେ ଯଦି ସେ ଏହି ବ୍ୟବସାୟରେ ଯୋଗଦାନ କରନ୍ତି ତେବେ ତାଙ୍କୁ ଦୈନିକ ପାଞ୍ଚହଜାର ଟଙ୍କା ରୋଜଗାର ମିଳିବ। ବାପା କେବଳ କିଛି ଟଙ୍କା ପାଇଁ ତାଙ୍କ ଝିଅର ଇଜ୍ଜତକୁ ବିକ୍ରୟ କରିଥିଲେ।

ଅଭିଯୁକ୍ତ ପିତା ତାଙ୍କ ଝିଅକୁ ଭରତ ଶେଟ୍ଟୀଙ୍କ ସହ ମାଙ୍ଗାଲୁରୁ ନେଇଗଲେ। ବାଟରେ ଝିଅଟି ତାଙ୍କ ବାପାଙ୍କୁ କହିଲା ଯେ ପିରିୟଡ୍ସ ହୋଇଛି ଏବଂ ଅସୁସ୍ଥ ଅନୁଭବ କରୁଛି । ପରଦିନ ଭରତ ଶେଟ୍ଟୀ ଝିଅଟିକୁ ଧମକ ଦେଇ କହିଲେ ଯେ କିଛି ପୁରୁଷ ଆସିବେ ଏବଂ ତାଙ୍କୁ ସେମାନଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ପଡିବ । ଚାରିଜଣ ଯୁବକ ତାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ସାଜିଛି ।

 

Dharitri – Odisha’s No.1 Odia Daily

Share