ସ୍ତ୍ରୀଙ୍କୁ ମନାଇବାକୁ ଆସିଥିଲେ ସ୍ବାମୀ, ବୁଝିଲେନି ସ୍ତ୍ରୀ: ଶେଷରେ ନିଜକୁ ଜାଳିଦେଲେ …

ବେଙ୍ଗାଲୁରୁ,୨୪।୧: ବଢି ଚାଲଇଛି ଘରୋଇ ହିଂସା। ହାଇଦ୍ରାବାଦରେ ଜଣେ ପୂର୍ବତନ ସୈନିକ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି ପ୍ରସରକୁକର୍‌ରେ ସିଝାଇବା ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ବେଙ୍ଗାଲୁରୁ ଆସିଛି ପୁଣି ଆଉ ଏକ ଦୁଃଖଦ ଖବର। ସ୍ତ୍ରୀଙ୍କୁ ମନାଇ ନ ପାରି ଶେଷରେ ନିଜକୁ ଜାଳିଦେଇଛନ୍ତି ସ୍ବାମୀ। ସ୍ତ୍ରୀ ରହୁଥିବା ଘର ଆଗରେ ଦେହରେ ନିଆଁ ଲଗାଇ ଜୀବନ ହାରିଛନ୍ତି ସ୍ବାମୀ। ମୃତକ ହେଲେ କର୍ନାଟକର ମଞ୍ଜୁନାଥ(୩୯)। ମଞ୍ଜୁନାଥ କୁନିଗଲ ସହରର ବାସିନ୍ଦା ଥିଲେ ଏବଂ ପରିବହନ ଶିଳ୍ପରେ କାମ କରୁଥିଲେ।

ପୋଲିସ ସୂଚନା ମୁତାବକ, ୨୦୧୩ରେ ମଞ୍ଜୁନାଥ ବିବାହ କରିଥିଲେ। ପରେ ସେମାନେ ବେଙ୍ଗାଲୁରୁ ଆସି ଏକ ଫ୍ଲାଟରେ ରହୁଥିଲେ। ତାଙ୍କର ଏକ ୯ ବର୍ଷର ପୁଅ ଅଛନ୍ତି। ହେଲେ ବିଭିନ୍ନ କାରଣକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ଏନେଇ ସ୍ତ୍ରୀ-ସ୍ବାମୀ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ। ମଞ୍ଜୁନାଥ ଦୁଇ ବର୍ଷରୁ ଅଧିକ ସମୟ ଦୂରରେ ରହିବା ପରେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।

ହେଲେ ମଞ୍ଜୁନାଥ ସ୍ତ୍ରୀଙ୍କ ବାସଭବନକୁ ଯାଇ ଛାଡପତ୍ର ପ୍ରକ୍ରିୟା ଆଗକୁ ନ ବଢ଼ାଇବାକୁ ବୁଝାଇବାକୁ ଚେଷ୍ଟା କଲେ। ହେଲେ ସ୍ତ୍ରୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ ମଞ୍ଜୁନାଥ ଭାଙ୍ଗି ପଡି ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ।

ଖବର ପାଇ ପୋଲିସ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ମଞ୍ଜୁନାଥଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମଞ୍ଜୁନାଥଙ୍କ ମୃତ୍ୟୁ ପାଇ ସ୍ତ୍ରୀଙ୍କୁ ଦାୟୀ କରି ପରିବାର ଲୋକେ ଥାନାରେ ଏକ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share