ମୁମ୍ବାଇ: ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନସ୍ବାମୀ ସଞ୍ଜୟ କପୁରଙ୍କ ଗୁରୁବାର ଦିନ ପରଲୋକ ଘଟିଛି। ହର୍ସ ପୋଲୋ ଖେଳୁଥିବା ସମୟରେ ହୃଦ୍ଘାତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ୨୦୦୩ରେ କରିସ୍ମା କପୁରଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ବିବାହକୁ ନେଇ ଅନେକ ବିବାଦ ଉପୁଜିଥିଲା। ଦୁହେଁ ପରସ୍ପର ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ, ଯାହା ପରେ ସେମାନଙ୍କର ଛାଡପତ୍ର ହୋଇଥିଲା।
୧୩ ବର୍ଷ ବିବାହ ପରେ, ୨୦୧୬ରେ ଦୁହେଁ ଛାଡପତ୍ର ନେଇ ଅଲଗା ହୋଇଯାଇଥିଲେ। ରିପୋର୍ଟ ଅନୁଯାୟୀ, ଛାଡପତ୍ର ସମୟରେ, ସଞ୍ଜୟ କପୁର କରିସ୍ମାଙ୍କୁ ଭରଣପୋଷଣ ରାଶି ଭାବରେ ୭୦ କୋଟି ଟଙ୍କା ଦେଇଥିଲେ। ସେ କରିସ୍ମାଙ୍କୁ ମୁମ୍ବାଇର ଖାରରେ ଏକ ଘର ମଧ୍ୟ ଦେଇଥିଲେ।
ବିବାହ ପରେ, କରିସ୍ମା ଏବଂ ସଞ୍ଜୟ ଦୁଇଟି ସନ୍ତାନର ପିତାମାତା ହୋଇଥିଲେ। ଉଭୟଙ୍କ ସମାଇରା(ଝିଅ) ଏବଂ କିୟାନ ନାମରେ ଏକ ପୁଅ ଅଛି। ଛାଡପତ୍ର ସମୟରେ, ଉଭୟ ସନ୍ତାନର ତତ୍ତ୍ୱାବଧାନ କରିସ୍ମାଙ୍କୁ ଦିଆଯାଇଥିଲା। ତଥାପି ସଞ୍ଜୟ ଉଭୟ ସନ୍ତାନଙ୍କୁ ଦେଖା କରିବାକୁ ଯାଉଥିଲେ। ସେ ଉଭୟ ସନ୍ତାନଙ୍କ ଯତ୍ନ ପାଇଁ ଟଙ୍କା ମଧ୍ୟ ଦେଉଥିଲେ।
ରିପୋର୍ଟ ଅନୁଯାୟୀ, ସଂଜୟ ପିଲାମାନଙ୍କ ଲାଳନପାଳନ ପାଇଁ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ପଠାଉଥିଲେ। କରିସ୍ମାଙ୍କଠାରୁ ଅଲଗା ହେବାର ଗୋଟିଏ ବର୍ଷ ପରେ, ସଂଜୟ ୨୦୧୭ରେ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ। ଏହାର ଗୋଟିଏ ବର୍ଷ ପରେ, ଉଭୟ ପିତାମାତା ହୋଇଥିଲେ। ୨୦୧୮ରେ ପ୍ରିୟା ଏକ ପୁଅକୁ ଜନ୍ମ ଦେଇଥିଲେ, ଯାହାଙ୍କ ନାମ ଅଜାରିଆସ। ଅଜାରିଆସଙ୍କୁ ଏବେ ମାତ୍ର ୭ ବର୍ଷ ବୟସ।
ସୂଚନାଯୋଗ୍ୟ,ସଂଜୟଙ୍କ ମୃତ୍ୟୁ ଇଂଲଣ୍ଡରେ ହୋଇଥିଲା। ପୋଲୋ ଖେଳୁଥିବା ସମୟରେ, ଯେତେବେଳେ ସେ ଘୋଡାରେ ଦୌଡୁଥିଲେ, ସେତେବେଳେ ଏକ ମହୁମାଛି ତାଙ୍କ ପାଟିରେ ପଶିଯାଇଥିଲା। ମହୁମାଛି ତାଙ୍କ ଗଳାକୁ ଦଂଶନ କଲା। ଏହା ପରେ ତାଙ୍କୁ ହୃଦଘାତ ହୋଇଥିଲା ଏବଂ ସେ ଘୋଡାରୁ ତଳକୁ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରୀ ସହାୟତା ଦିଆଯାଇଥିଲା, କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ।