Categories: Home Leftଖେଳ

କରିମ୍‌ ସ୍ପୋର୍ଟିଂ ନାଗପୁର ସେମିରେ

ସୋନପୁର,୨୪।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଗାନ୍ଧୀ ପଡିଆରେ ଜିଲା କ୍ରିକେଟ ସଂଘ ଆନୁକୂଲ୍ୟରେ ଚାଲିଥିବା ୩୫ତମ ସର୍ବଭାରତୀୟ ଲାଲମନି କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ଦିବସରେ ନାଗପୁରର କରିମ୍‌ ସ୍ପୋର୍ଟିଂ ଆୟୋଜକ ସୁବର୍ଣ୍ଣପୁର ଜିଲା କ୍ରିକେଟ ସଂଘ ଟିମ୍‌କୁ ପରାସ୍ତ କରି ସେମିରେ ପ୍ରବେଶ କରିଛି। ନାଗପୁର ଦଳ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୧୩୫ ରନ କରିଥିଲା। ଦଳ ପକ୍ଷରୁ ଆଶୁତୋଷ ସିଂହ ସର୍ବାଧିକ ୫୧ ରନ କରିଥିଲେ। ସୁବର୍ଣ୍ଣପୁର ପକ୍ଷରୁ ସୁମନ ମହାରଣା ଓ କେ. ଜି. କ୍ରିଷ୍ଣା ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ସୁବର୍ଣ୍ଣପୁର ୯ ଉଇକେଟ ହରାଇ ୧୧୧ ରନରେ ସୀମିତ ରହି ଯାଇଥିଲା। ଦଳ ପକ୍ଷରୁ ସୁରଜ ମହାପାତ୍ର ୩୭ ରନ କରିଥିଲେ। ନାଗପୁର ପକ୍ଷରୁ ଶିବମ ଯାଦବ ୩, ଆଶୁତୋଷ ସିଂ ଓ ପବନ ଯାଦବ ୨ଟି ଲେଖାଏ ଉଇକେଟ ନେଇଥିଲେ। ପରେ ଅନୁଷ୍ଠିତ ଟି୧୦ ମ୍ୟାଚ୍‌ରେ ନାଗପୁର ଦଳ ଆଶିଷ ଯାଦବଙ୍କ ୪୫ ରନ ସହାୟତାରେ ୫ ଉଇକେଟ ହରାଇ ୧୦୦ ରନ ସଂଗ୍ରହ କରିଥିଲା। ସୁବର୍ଣ୍ଣପୁର ପକ୍ଷରୁ ପୁରୁଷୋତ୍ତମ ପାତ୍ର ୨ଟି ଉଇକେଟ୍‌ ନେଇଥିଲେ। ଜବାବରେ ସୁବର୍ଣ୍ଣପୁର ଅଭିଳାଷ ନାୟକଙ୍କ ୪୨ ରନ ସତ୍ତ୍ୱେ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ବିନିମୟରେ ୯୩ରନ କରିପାରିଥିଲା। ନାଗପୁର ପକ୍ଷରୁ ଆଶୁତୋଷ ସିଂ ଓ ଶିବମ ଯାଦବ ୨ଟି ଲେଖାଏ ଉଇକେଟ ନେଇଥିଲେ। ସୋନପୁର ଟାଉନ ଥାନା ଆଇଆଇସି ପଦ୍ମାସିନୀ ମେହେର ଓ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଶାଖା ପରିଚାଳକ ରୂପେଶ ସାହୁ ଅତିଥି ଭାବରେ ଯୋଗଦେଇଥିଲେ।

Share