ଆତଙ୍କବାଦୀଙ୍କ ଟାର୍ଗେଟରେ କପିଲ ଶର୍ମା! ପୁଣିଥରେ କାଫେ ଉପରେ ଗୁଳିମାଡ଼କୁ ନେଇ ହଇଚଇ, ଧମକରେ… 

ମୁମ୍ବାଇ: ପୁଣି ଅଡ଼ୁଆରେ କମେଡିଆନ୍‌ ତଥା ଅଭିନେତା କପିଲ ଶର୍ମା। କାନାଡ଼ାର ସରେରେ ଥିବା ତାଙ୍କ ‘କାପ୍ସ’ କାଫେ ଉପରେ ଗୁଳିମାଡ଼ କରାଯାଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଭଳି କାଣ୍ଡ ପଛରେ ଗୋଲ୍ଡି ଢ଼ିଲ୍ଲୋ ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଥିବା ସ୍ପଷ୍ଟ ହୋଇଛି। ଗ୍ୟାଙ୍ଗ ଏକ ପୋଷ୍ଟରେ କପିଲ ଶର୍ମାଙ୍କୁ ଧମକ ଦେଇ ପରବର୍ତ୍ତୀ ଆକ୍ରମଣ ମୁମ୍ବାଇରେ ହେବ ବୋଲି କହିଛି।
କାଫେ ଉପରେ ଗୁଳିମାଡ଼ ପରେ ଗୋଲ୍ଡି ଢିଲ୍ଲୋଂ ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟରୁ ପୋଷ୍ଟ ଭାଇରାଲ ହେଉଛି। ପୋଷ୍ଟରେ ଲେଖାଯାଇଛି, ଜୟ ଶ୍ରୀ ରାମ। ରାମ ରାମ ସମସ୍ତ ଭାଇମାନଙ୍କୁ। ଆଜି କପିଲ ଶର୍ମାଙ୍କ କାପ୍ସ କାଫେ, ସରେରେ ହୋଇଥିବା ଗୁଳିଚାଳନାର ଦାୟିତ୍ୱ ମୁଁ ଗୋଲ୍ଡି ଢିଲ୍ଲୋଂ ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନେଉଛୁ। ଆମେ ତାଙ୍କୁ ଫୋନ କରିଥିଲୁ, କିନ୍ତୁ ସେ ଜବାବ ଦେଇ ନ ଥିଲେ। ତେଣୁ ଆମକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଲା। ଯଦି ଏବେ ବି ସେ ଜବାବ ନ ଦିଅନ୍ତି, ତେବେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ମୁମ୍ବାଇରେ ଶୀଘ୍ର ହେବ।’ ଏହାପରେ ମୁମ୍ବାଇ ପୁଲିସ ଏହି ଧମକପୂର୍ଣ୍ଣ ସୋସିଆଲ ମିଡିଆ ପୋଷ୍ଟକୁ ଯାଞ୍ଚ କରୁଛି।
କପିଲଙ୍କ କାଫେ ଉପରେ ଏଥର ୬ ରାଉଣ୍ଡ ଗୁଳି ଚାଳନା କରାଯାଇଛି। ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ଆକ୍ରମଣ ପରେ ସରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଏକ ମାସ ମଧ୍ୟରେ କାପ୍ସ କାଫେ ଉପରେ ଏହା ଦ୍ୱିତୀୟ ଆକ୍ରମଣ।
ଗତ ମାସରେ କପିଲ ଶର୍ମାଙ୍କ କନାଡାରେ ଥିବା ‘କାପ୍ସ କାଫେ’ ଉପରେ ଆଖିବୁଜା ଗୁଳିଚାଳନା ହୋଇଥିଲା। ସେହି ଆକ୍ରମଣରେ ମଧ୍ୟ କେହି ଆହତ ହୋଇ ନ ଥିଲେ। ସେତେବେଳେ ଆକ୍ରମଣକାରୀମାନେ ଏକ ଭିଡିଓ ଜାରି କରିଥିଲେ। ଆକ୍ରମଣର ୧୦ ଦିନ ପରେ କାଫେ ପୁନର୍ବାର ଖୋଲା ଯାଇଥିଲା।
ଅପରପକ୍ଷେ କପିଲ ଏବେ ତାଙ୍କ କମେଡି ସୋ ‘ଦ ଗ୍ରେଟ ଇଣ୍ଡିଆନ କପିଲ ଶୋ’ରେ ବ୍ୟସ୍ତ ଅଛନ୍ତି। ଏହାର ଦ୍ୱିତୀୟ ସିଜନ ନେଟଫ୍ଲିକ୍ସରେ ଷ୍ଟ୍ରିମ ହେଉଛି ଏବଂ ଅନେକ ଏପିସୋଡ ପ୍ରସାରିତ ହୋଇସାରିଛି। ଆଗାମୀ ଏପିସୋଡରେ ଶିଲ୍ପା ଶେଟ୍ଟୀ, ଶମିତା ଶେଟ୍ଟୀ, ହୁମା କୁରେଶୀ ଏବଂ ସାକିବ ସଲିମ ନଜର ଆସିବେ। ଏହି ଏପିସୋଡ ଆସନ୍ତା ଶନିବାର ରାତି ୮ଟାରୁ ନେଟଫ୍ଲିକ୍ସରେ ଷ୍ଟ୍ରିମ ହେବ।

Share
Tags: kapil sharma