ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ ମଥୁରା ଭ୍ରମଣରେ ବାହାରିଥିଲେ। ମଥୁରା ଭ୍ରମଣ ବାଟରେ ସେ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ କରିଥିଲେ। ପରେ ସେ ଲୋକ ମଣ୍ଡପ ପଡ଼ିଆସ୍ଥିତ ରଙ୍ଗମହଲକୁ ଆସିଥିଲେ। ସେଠାରେ ବିଭିନ୍ନ ସାଂସ୍କୃତିକ ଦଳର ନାଚଗୀତରେ କଂସ ମହାରାଜ ମସଗୁଲ ହୋଇଥିଲେ। ରଙ୍ଗମହଲରୁ ସେ ହାଟପଦାସ୍ଥିତ ରାଜ ଦରବାରକୁ ପହଞ୍ଚିଥିଲେ। ନିଜ ଅଶାନ୍ତ ମନକୁ ଶାନ୍ତ କରିବା ପାଇଁ ସେଠାରେ ମଧ୍ୟ କଂସଙ୍କ ସମ୍ମୁଖରେ ନାଚଗୀତର ଆସର ଜମିଥିଲା। ତେବେ ଶୂନ୍ୟବାଣୀ ଶୁଣିବା ପରଠୁ ବିଚଳିତ କଂସ କାରାଗୃହକୁ ପ୍ରବେଶ କରିଥିଲେ। ସେଠାରେ ପାଷାଣରେ ବିଜୁଳି କନ୍ୟାଙ୍କୁ ପ୍ରହାର କରିଥିଲେ। ମାତ୍ର ପୁଣି ତାଙ୍କୁ ଶୂନ୍ୟବାଣୀ ହୋଇଥିଲା। ଏଥିରେ ମର୍ମାହତ ହୋଇ କଂସ ମହାରାଜ ପୁଣି ରାଜ ଦରବାରକୁ ଫେରି ଆସିଥିଲେ ଏବଂ ପୁଣି ନାଚଗୀତରେ ମସଗୁଲ ହୋଇଥିଲେ।
ଅନ୍ୟପଟେ ଗୋପପୁର ଉତ୍ସବ ମୁଖରିତ ହୋଇ ପଡ଼ିଛି। ମଥୁରାନଗରୀ ଭଳି ଗୋପପୁରରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା। ଧନୁଯାତ୍ରା ମହୋତ୍ସବର କାର୍ଯ୍ୟକାରୀ ସଭାପତି ତଥା ବରଗଡ଼ ଏସ୍ପି ପି.ଏସ୍ ମୀନା ନନ୍ଦ ଦରବାରକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ସମାରୋହରେ ଧନୁଯାତ୍ରା ମହୋତ୍ସବର ସମ୍ପାଦକ ତଥା ଆବାହକ ସୁରେଶ୍ୱର ଶତପଥୀଙ୍କ ସମେତ ଗୋପପୁର ଯାତ୍ରା କମିଟିର କର୍ମକର୍ତ୍ତା, ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ। ନନ୍ଦ ଦରବାର ଉଦ୍ଘାଟନ ହେବା ପରେ ନନ୍ଦୋତ୍ସବରେ ଗୋପପୁର ମୁଖରିତ ହୋଇ ପଡ଼ିଥିଲା। କୃଷ୍ଣଙ୍କ ଦୋଳିଝୁଲା, ରାସନୃତ୍ୟ ପରିବେଷିତ ହୋଇଥିଲା। ସେହିପରି ନଗର ସଂକୀର୍ତ୍ତନ ସହିତ କୃଷ୍ଣଙ୍କ ଗୋପପୁର ଭ୍ରମଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଶନିବାର ମଥୁରାନଗରୀରେ ବାଣାସୁର ପରାଜୟ, ଷଡ଼ମଲ୍ଲଙ୍କ ମୃତ୍ୟୁ ଖବର ପାଇ କଂସଙ୍କ ଶୋକ, ରାଣୀ ପଦ୍ମାବତୀଙ୍କ ଧନୁଶ୍ରୀ ଓଷା ପାଇଁ ପ୍ରସ୍ତୁତି, କଂସଙ୍କ ଦ୍ୱାରା ମୁକ୍ତେଶ୍ୱର ବାବାଙ୍କ ରୁଦ୍ରାଭିଷେକ ଦୃଶ୍ୟାଭିୟ ରହିଛି। ଅନ୍ୟପଟେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କଂସ ପ୍ରେରିତ ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ବଧ ଏବଂ ନନ୍ଦୋତ୍ସବ କାର୍ଯ୍ୟକ୍ରମ ରହିଛି।