ନୂଆଦିଲ୍ଲୀ,୨୧।୯: ଉତ୍ତରପ୍ରଦେଶର କାନପୁରରେ ଏକ ହୃଦୟବିଦାରକ ଘଟଣାରେ ପ୍ରେମିକ ସୂରଜ ଉତ୍ତମ ତାର ପ୍ରେମିକା ଆକାଂକ୍ଷା (୨୦)ଙ୍କୁ ଗଳା ଚିପି ହତ୍ୟା କରି ଶବକୁ ସୁଟକେସରେ ଭର୍ତ୍ତି କରି ଶହେ କିଲୋମିଟର ଦୂର ବାନ୍ଦାର ଚିଲ୍ଲା ପୋଲରୁ ଯମୁନା ନଦୀରେ ଫୋପାଡ଼ିଥିବା ଘଟଣା ପ୍ରକାଶ ପାଇଛି। ସୂରଜ ଏହି ହତ୍ୟାକାଣ୍ଡରେ ତାର ବନ୍ଧୁ ଆଶିଷଙ୍କ ସହାୟତା ନେଇଥିଲା। ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଛି।
ଘଟଣା ଅନୁଯାୟୀ, ଆକାଂକ୍ଷା ଓ ସୂରଜଙ୍କ ମଧ୍ୟରେ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୁଇ ମାସ ତଳେ ଆକାଂକ୍ଷା ସୂରଜଙ୍କ ସହ ହନୁମନ୍ତ ବିହାରରେ ଲିଭ୍-ଇନ୍ ସମ୍ପର୍କରେ ରହୁଥିଲେ। ୨୧ ଜୁଲାଇରେ ସୂରଜର ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ଜଣାପଡ଼ିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାତି ୧୦:୩୦ରେ କଥା କଟାକଟି ଓ ହାତାହାତି ସମୟରେ ସୂରଜ ଆକାଂକ୍ଷାଙ୍କୁ ଗଳା ଚିପି ହତ୍ୟା କରିଥିଲା। ପରେ ଆଶିଷଙ୍କ ସହ ଶବକୁ ସୁଟକେସରେ ଭର୍ତ୍ତି କରି ବାଇକରେ ନେଇ ରାତି ୨:୩୦ରେ ଯମୁନା ନଦୀରେ ଫୋପାଡ଼ିଥିଲେ।
ଆକାଂକ୍ଷାଙ୍କ ମାଆ ବିଜୟଶ୍ରୀଙ୍କ ଅପହରଣ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସୂରଜ ପ୍ରଥମେ ପୋଲିସକୁ ବାଟବଣା କରିଥିଲେ, କିନ୍ତୁ ମୋବାଇଲ ଲୋକେସନ ଓ କଥାବାର୍ତ୍ତା ରେକର୍ଡ ଆଧାରରେ ସେ ହତ୍ୟା ସ୍ୱୀକାର କରିଥିଲେ। ପୋଲିସ ଏବେ ଶବ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛି।