ଜୁନ ୨୭ରେ ରିଲିଜ୍‌ ହେବ ‘କନ୍ନାପା’: ମହାଦେବଙ୍କ ଭୂମିକାରେ ଅକ୍ଷୟ

ହାଇଦ୍ରାବାଦ,୧୫।୬: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସାଉଥ୍‌ ସିନେମା ତଥା ମଲ୍ଟିଷ୍ଟାରର୍‌ ମୁଭି ‘କନ୍ନାପା’ ଆସନ୍ତା ଜୁନ ୨୭ରେ ରିଲିଜ୍‌ ହେବାକୁ ଯାଉଛି। ରବିବାର ଏହାର ଟ୍ରେଲର ଜାରି କରାଯାଇଛି। ଟ୍ରେଲରରେ ଅଭିନେତା ପ୍ରଭାସ୍‌, ମୋହନଲାଲ, ବିଷ୍ଣୁ ମଞ୍ଚୁ, ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କୁ ଦେଖିବାକୁ ମିଳିଛି। ଟ୍ରେଲର ଦେଖିବା ପରେ ଫିଲ୍ମକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

୨ ମିନିଟ୍‌ ୫୪ ସେକେଣ୍ଡ୍‌ର ଏହି ଟ୍ରେଲରରେ ‘କନ୍ନାପା’ ନାମକ ଜଣେ ନାସ୍ତିକ ବ୍ୟକ୍ତିଙ୍କ ଭୂମିକାରେ ସାଉଥ୍‌ ଷ୍ଟାର୍‌ ବିଷ୍ଣୁ ମଞ୍ଚୁଙ୍କୁ ଦେଖିବାକୁ ମିଳିଛି। କିପରି କନ୍ନାପା ଜଣେ ନାସ୍ତିକରୁ ଭଗବାନ ଶିବଙ୍କ ବଡ଼ ଭକ୍ତରେ ପରିଣତ ହେଉଛନ୍ତି, ତାହାକୁ ନେଇ ଫିଲ୍ମର କାହାଣୀ ପର୍ଯ୍ୟବେସିତ। ଅକ୍ଷୟ ଏହି ଟ୍ରେଲରରେ ଭଗବାନ ଶିବଙ୍କ ଭୂମିକାରେ ନଜରକୁ ଆସିଛନ୍ତି।

ସେହିପରି କାଜଲଙ୍କୁ ଦେବୀ ପାର୍ବତୀଙ୍କ ଭୂମିକାରେ ଦେଖିବାକୁ ମିଳିଛି। ପ୍ରଭାସଙ୍କୁ ଭଗବାନ ମହାଦେବଙ୍କ ବଡ଼ ଭକ୍ତ ରୂଦ୍ରଙ୍କ ଭୂମିକାରେ ଦେଖିବାକୁ ମିଳିଛି, ଯିଏ କନ୍ନାପାଙ୍କୁ ଶିବ ଭକ୍ତ ହେବା ପାଇଁ ମାର୍ଗ ଦର୍ଶନ ଦେଇଛନ୍ତି। ମୁକେଶ କୁମାର ସିଂଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ତେଲୁଗୁ, ତାମିଲ, କନ୍ନଡ଼, ମାଲୟାଲମ ଏବଂ ହିନ୍ଦୀ ଭାଷାରେ ରିଲିଜ୍‌ ହେବ।