ରାହୁଲ ଗାନ୍ଧୀଙ୍କ ସମର୍ଥନ ବଦଳାଇ ଦେଇଥିଲା ମୋ ଜୀବନ: ରମ୍ୟା

ନୂଆଦିଲ୍ଲୀ,୨୯।୩: କନ୍ନଡ ଅଭିନେତ୍ରୀ ତଥା ପୂର୍ବତନ ରାଜନେତା ରମ୍ୟା ଏକ ଶୋ’ରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ୱିକେଣ୍ଡ ୱିଥ ରମେଶ ସିଜନ ୫ରେ ପ୍ରଥମ ଅତିଥି ଭାବେ ଯୋଗ ଦେବା ଅବସରରେ ରମ୍ୟା କହିଛନ୍ତି, ପିତା ଆରଟି ନାରାୟଣଙ୍କ ଦେହାନ୍ତ ପରେ ମୋ ଜୀବନ ଏକ କଠିନ ପର୍ଯ୍ୟାୟ ଗତି କରିଥିଲା। ଏହି ସମୟରେ ଆତ୍ମହତ୍ୟା କରିବାକୁ ମଧ୍ୟ ଚିନ୍ତା କରିଥିଲି। କିନ୍ତୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋତେ ଦୃଢ ସମର୍ଥନ କରିଥିଲେ। ପିତାଙ୍କୁ ହରାଇବାର ଦୁଇ ସପ୍ତାହ ପରେ ମୁଁ ସଂସଦରେ ପହଞ୍ଚିଥିଲି। ମୁଁ କାହାକୁ ଜାଣି ନ ଥିଲି ଏବଂ ସଂସଦର ପ୍ରକ୍ରିୟା ବିଷୟରେ ମୋତେ କିଛି ଜଣା ନ ଥିଲା। ପରେ କିନ୍ତୁ ମୁଁ ସବୁକିଛି ଶିଖିଲି। ମୋ ଦୁଃଖକୁ ମୋ କାମରେ ଆସିବାକୁ ଦେଲି ନାହିଁ। ମାଣ୍ଡ୍ୟା ଲୋକଙ୍କ ଯୋଗୁ ମୁଁ ଏହି ଆତ୍ମବିଶ୍ୱାସ ପାଇଥିଲି। ଜୀବନରେ ମୋ ମା’ଙ୍କଠାରୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ତା’ପରେ ମୋ ବାପା ଏବଂ ରାହୁଲ ଗାନ୍ଧୀ ତୃତୀୟ ସ୍ଥାନରେ ଅଛନ୍ତି।
ରମ୍ୟା ତାଙ୍କ ଅଭିନୟ କ୍ୟାରିୟରର ଶିଖରରେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ କଂଗ୍ରେସର ସୋସିଆଲ ମିଡିଆ ଓ୍ବିଙ୍ଗ୍‌ର ନେତୃତ୍ୱ ନେଇଥିଲେ। ତେବେ ଫଳାଫଳ ଦଳ ସପକ୍ଷରେ ଯାଇ ନ ଥିଲା। ଏହାର କିଛି ଦିନପରେ ରମ୍ୟା ଉଭୟ ସୋସିଆଲ ମିଡିଆ ୱିଙ୍ଗ ଏବଂ ରାଜନୀତିରୁ ଦୂରେଇ ଯାଇଥିଲେ।