ବାରିପଦା,୩।୩ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଛେଳି ଚୋରକୁ ନେଇ କଙ୍ଗାରୁ କୋର୍ଟ। ଘଟଣାକୁ ନେଇ ଦୁଇ ଜଣଙ୍କୁ ନିସ୍ତୁକ ମାଡ଼ ପରେ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ବହଳଦା ବ୍ଲକ ତଥା ତିରିଙ୍ଗ ଥାନା ଅନ୍ତର୍ଗତ ଇନ୍ଦଖୋଲି ଗ୍ରାମର ହେରୋଗୋଡା ଗ୍ରାମରେ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁଟକାବାଦି ଗ୍ରାମର ରାଜ କୁମାର ବିନ୍ଧାଣୀଙ୍କ ନବମ ଶ୍ରେଣୀରେ ପଢ଼ୁଥିବା ପୁଅ ସମ୍ବିତ ବିନ୍ଧାଣୀଙ୍କ ମୃତ୍ୟୁ ଘଟିଛି। ସେ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମରେ ନିଜ ମାମୁଁ ଘର ରହି ବାଶିଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ।
ସୋମବାର ଅପରାହ୍ନରେ ହେରୋଗୋଡା ଗ୍ରାମରେ ଦୁଇ ଜଣ ନାବାଳକ ଛେଳି ଚୋରି ନେଇ ସ୍ଥାନୀୟ ଗ୍ରାମବାସୀମାନେ ନିସ୍ତୁକ ମାଡ ମାରିଥିଲେ। ଏହାସହିତ ତାଙ୍କ ବାଇକକୁ ଜାଳି ଦେଇଥିଲେ। ଗ୍ରାମବାସୀମାନେ ପୋଲିସ ଜିମା ଦେବା ପୂର୍ବରୁ କଙ୍ଗାରୁ କୋର୍ଟ କରି ନିସ୍ତୁକ ମାଡ଼ ମାରିଛନ୍ତି। ଦୁହିଁଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପୋଲିସ ଉଭୟଙ୍କୁ ଉଦ୍ଧାର କରି ଝରାଡିହି ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ପରେ ରାଇରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ସମ୍ବିତଙ୍କ ମୃତ୍ୟୁ ଘଟିଛି। ପୁଅକୁ ହତ୍ୟା କରିଥିବା ନେଇ ବାପା ତିରିଂ ଥାନାରେ ଏକ ହତ୍ୟା ଅଭିଯୋଗ କରିଥିଲେ। ତିରିଂ ପୋଲିସ କେସ ନଂ ୩୧/୨୬ରେ ହତ୍ୟା ମାମଲା ରୁଜୁ କରି ୧୨ ଜଣ ଅଗ୍ରାମବାସୀଙ୍କୁ ଗିରଫ କରିଛି।
ଆହୁରି ଗିରଫ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡିଛି। ତେବେ ଛେଳି ଚୋରିକୁ ନେଇ କଙ୍ଗାରୁ କୋର୍ଟ କରି ଜଣେ ନିରୀହଙ୍କ ଜୀବନ ନେବାକୁ ସମସ୍ତେ ନିନ୍ଦା କରିଛନ୍ତି। ଛେଳି ଚୋର ସନ୍ଦେହରେ ଅତି ଅମାନୁଷିକ ଭାବେ ପିଟିଛନ୍ତି। ଜଣଙ୍କ ମତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁରରୁ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
Dharitri – Odisha’s No.1 Odia Daily