କନ୍ଧମାଳ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି: ୨୨୯ଟି ଅଭିଯୋଗ ଶୁଣିଲେ…

ଦାରିଙ୍ଗବାଡି, ୧୦ ।୧୧ (ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ସୋମବାର ଦାରିଙ୍ଗବାଡି ବ୍ଲକ ସଭାଗୃହଠାରେ ଅଭିଯୋଗ ଶୁଣିଛନ୍ତି । ସେ ମୋଟ ୨୨୯ଟି ଅଭିଯୋଗ ଶୁଣିଛନ୍ତି। ସେଥିରେ ବ୍ୟକ୍ତିଗତ ୧୨୨ ଟି ଅଭିଯୋଗ ଶୁଣିଥିବା ବେଳେ ମୋଟ ୧୦୭ ଟି ସାମୂହିକ ଅଭିଯୋଗ ଶୁଣିଛନ୍ତି। ଏଥିରେ ରାସ୍ତା, ମୋବାଇଲ ନେଟୱର୍କ, ଷ୍ଟ୍ରିଟ ଆଲୁଅ, ଅନ୍ତଦୋୟ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ ଅଗ୍ରିମ ଅନୁଦାନ ମିଳିନଥିବା, ଭଳି ଅଭିଯୋଗ ରହିଥିଲା। ସିମନବାଡି ଠାରୁ ସିକକେତା ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣରେ ବିଳମ୍ବ, ଲଷ୍ମୀବସ୍‌କୁ ବାଡାବାଙ୍ଗାରୁ ସିକନବାଡି ପର୍ଯ୍ୟନ୍ତ ନେବା ବ୍ୟବସ୍ଥା, ବିଭିନ୍ନ ପଞ୍ଚାୟତରେ ପିଇବା ପାଣି ସମସ୍ୟା, ରାଇପୁରଠାରୁ ଗୋପାଳପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଦାରିଙ୍ଗବାଡିଠାରୁ ସିମନବାଡି ଓ କ. ନୂଆଗାଁ ପର୍ଯ୍ୟନ୍ତ ସୋଲାର ଷ୍ଟ୍ରିଟ ଲାଇଟ୍‌ଗୁଡିକ ଚୋରି ହୋଇଥିବା ବେଳେ ତାକୁ ପୁନଃ ଆଲୁଅ ବ୍ୟବସ୍ଥା କରାଯିବା ଅଭିଯୋଗ ରହିଥିଲା। ସେହିପରି ପ୍ଳିହେରୀ ପଞ୍ଚାୟତରୁ ସର୍ବାଧିକ ଅନ୍ତୋଦ୍ୱୟ ଯୋଜନାରେ ଗତ ଜୁନ ମାସରୁ କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ ସେମାନଙ୍କୁ ଅଗ୍ରିମ ଅନୁଦାନ ପ୍ରଦାନ କରାଯାଇନଥିବା, ସରାମୁଳିରେ ବିଏସଏନଏଲ ଟାୱାର ରହିଥିଲେ ମଧ୍ୟ ଅଚଳ ରହିଥିବାବେଳେ ସେଠାରେ 4g କିମ୍ବା 5g ନେଟୱାର୍କ ସ୍ଥାପନ ପାଇଁ ଦାବି କରାଯାଇଛି। ସେହିପରି ପୋଖରୀ, ସ୍ବାସ୍ଥ୍ୟଜନିତ ବହୁ ଅଭିଯୋଗ ପହଞ୍ଚିଥିଲା। ଦାରିଙ୍ଗବାଡିରେ ଦୀର୍ଘ ଏକ ଦଶନ୍ଧି ଧରି ଶୀତ ମହୋତ୍ସବ ପାଳନ କରାଯାଉଥିବା ବେଳେ ୨୦୧୫ରେ ଏହି ମହୋତ୍ସବକୁ ସରକାର ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପାଳନ କରିଥିଲେ। ତେଣୁ ଚଳିତ ବର୍ଷକୁ ଏହାକୁ ପୁନଃ ସରକାର ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ଭାବେ ଘୋଷଣା କରନ୍ତୁ ବୋଲି ଦାରିଙ୍ଗବାଡିର ବରିଷ୍ଠ ନାଗରିକ ସଙ୍ଘର ସଭାପତି ରମେଶ ଚନ୍ଦ୍ର ସାହୁ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ,ପୂର୍ବତନ ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ,ଆଇନଜୀବୀ ହରେନ କୁମାର ସାହୁ, ଭାଲୁ ସାହୁ ପ୍ରମୁଖ ଲିଖିତ ଅଭିଯୋଗ କରିଥିଲେ। ସେହିପରି ପ୍ଳିହେରୀ ସରପଞ୍ଚ ପାଉଲ ପ୍ରଧାନ, ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ,ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ, ସରାମୁଳିର ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ମୁଠାମାଝି, କୁମ୍ଭାତିଗାଁର ପୂର୍ବତନ ସରପଞ୍ଚ ସୁନାର ସିଂ ମାଝୀଙ୍କ ସମେତ ବହୁ ଲୋକପ୍ରତିନିଧି, ବୁଦ୍ଧିଜୀବୀ ଅଭିଯୋଗ କରିଥିଲେ । ତେବେ କିଛି ଅଭିଯୋଗର ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମାଧାନ ହୋଇପାରିନଥିବା ଯୋଗୁଁ ଜନ ଅସନ୍ତୋଷ ଦେଖାଯାଉଛି। ଏହି ଅଭିଯୋଗ ଶୁଣାଣିରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଏସପି ହରିଶ ବିଶି, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ବୁନାଥ ନନ୍ଦୀ, ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ, ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦାନ କରିଥିଲେ।

 

Dharitri – The Largest & Most Trusted Odia Daily