ଉପାସରେ ଦିନ କାଟୁଛନ୍ତି କନକ: ୩ ମାସ ହେଲା ମିଳୁନି ଭତ୍ତା

ଦାରିଙ୍ଗବାଡି,୪।୨(ଅରୁଣ ସାହୁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ହେଲେ କିଛି ଯୋଜନା ଲୋକଙ୍କୁ ସରକାରଙ୍କ ତୁହାକୁ ତୁହା ନିୟମ ପରିବର୍ତ୍ତନ ଯୋଗୁ ନିୟମ ଲାଗୁ ପର୍ଯ୍ୟନ୍ତ ସରକାରଙ୍କ ଯୋଜନାରୁ ବଞ୍ଚିତ ହେବାକୁ ପଡୁଛି। ଏଭଳି ଜଣେ ଅସହାୟ ବୃଦ୍ଧାଙ୍କ କ୍ଷେତ୍ରରେ ଘଟିଛି।
ପ୍ରକାଶ ଯେ, ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା କୁମ୍ଭାରସାହିର କନକ ବେହେରା ଦୀର୍ଘ ୩ ମାସ ହେଲା ନିଜ ଭତ୍ତା ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନ୍ତି। ସେ ଏହି ବୟସରେ ବାରମ୍ବାର ବ୍ୟାଙ୍କକୁ ଯାଇ ନିଜ ଆକାଉଣ୍ଟକୁ ଯାଞ୍ଚ କରାଉଛନ୍ତି। ହେଲେ ଆଉ ଭତ୍ତା ଟଙ୍କା ଆସୁ ନ ଥିବାରୁ ସେ ଏବେ ଚିନ୍ତାରେ ଅଛନ୍ତି। ସେ ଏନେଇ ପଞ୍ଚାୟତଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚି ଗୁହାରି କରିସାରିଥିବା କହିଛନ୍ତି। ସେ ଉକ୍ତ ଭତ୍ତା ଟଙ୍କା ଉପରେ ନିର୍ଭର କରି ଚଳୁଥିବାବେଳେ ଏବେ ଗୋଟିଏ ଓଳି ଖାଇଲେ ଅନ୍ୟ ଓଳି ଭୋକରେ ବୋଲି କହିଛନ୍ତି।
ସେ ଏନେଇ ଗତ ୨୬ରେ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ସିମନବାଡି ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ ତାଙ୍କୁ ଅଭିଯୋଗ କରିବାକୁ ବୁଡ଼ାଗୁଡାରୁ ୧୭ କିମି ସିମନବାଡି ଆସି ଗୁହାରି କରିଥିବା ଜଣାପଡିଛି। ଏହାର ତଦନ୍ତ କରି କନକଙ୍କୁ ଭତ୍ତା ଟଙ୍କା ଦେବାକୁ ଭାଜପାର ପୂର୍ବତନ ଜିଲା ସଭାପତି ଜଗନ୍ନାଥ ସାହୁ ଦାବି କରିଛନ୍ତି। ଏନେଇ ଦାରିଙ୍ଗବାଡି ବିଏସଏସଓ କ୍ଷୀତୀଶ ପ୍ରିୟଦର୍ଶୀ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।

ଏନେଇ ବିଏସଏସଓ କ୍ଷୀତୀଶ ପ୍ରିୟଦର୍ଶୀ ସାହୁ ପ୍ରତିକ୍ରିୟାରେ କହିଛନ୍ତି, ସେ ଯେଉଁ ବ୍ୟାଙ୍କରେ ଏହି ଭତ୍ତା ପାଉଥିଲେ। ସେହି ବ୍ୟାଙ୍କର ଆଇଏଫଏସଓ କୋର୍ଡ ବଦଳି ଯାଇଛି। ଏବେ ସଂଶୋଧନ ପରେ ନୂତନ କୋର୍ଡ ଫିଡିଂ ହୋଇଛି। ଏବେ କିଛି ହିତାଧିକାରୀଙ୍କୁ ଜାନୁଆରୀରେ ଆସିଯାଇଛି। କନକଙ୍କ ଫେବୃୟାରୀରେ ଭତ୍ତା ଗୋଟିଏ ଥରରେ ସବୁ ମିଳିଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily