‘ଠଗ୍‌ ଲାଇଫ୍‌’ ରିଲିଜ୍‌ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କମଲ ହାସନ୍‌

ବେଙ୍ଗାଲୁରୁ, ୩।୬ (ପି.ଟି.): ଅଭିନେତା କମଲ ହାସନଙ୍କ ଆଗାମୀ ଫିଲ୍ମ ‘ଠଗ୍‌ ଲାଇଫ୍‌’ ଆସନ୍ତା ଜୁନ୍‌ ୫ରେ ରିଲିଜ୍‌ ହେବାକୁ ଯାଉଛି। କର୍ନାଟକରେ ଏହି ଫିଲ୍ମକୁ ସୁରୁଖୁରୁରେ ମୁକ୍ତିଲାଭ କରିବାକୁ ଦିଆଯାଉ ଦାବିରେ କମଲ ସୋମବାର କର୍ନାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଏକ ଆବେଦନ ଦାଖଲ କରିଛନ୍ତି। ‘ଠଗ୍‌ ଲାଇଫ୍‌’ର ରିଲିଜ୍‌ରେ କୌଣସି ବାଧା ସୃଷ୍ଟି ନ କରିବାକୁ ହାଇକୋର୍ଟ କର୍ନାଟକ ସରକାର, ରାଜ୍ୟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏହି ଆବେଦନରେ କମଲ ଅନୁରୋଧ କରିଛନ୍ତି। ତେବେ କମଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କର୍ନାଟକ ଫିଲ୍ମ ଚ୍ୟାମ୍ବର ଅଫ୍‌ କମର୍ସ (କେଏଫ୍‌ସିସି) ସଭାପତି ଏମ୍‌ ନରସିଂହାଲୁ କହିଛନ୍ତି, କମଲଙ୍କ ନିକଟରେ କୋର୍ଟକୁ ଯିବାର ଅଧିକାର ରହିଛି। ତେବେ ତାଙ୍କ ଫିଲ୍ମ ‘ଠଗ୍‌ ଲାଇଫ୍‌’କୁ କର୍ନାଟକର କୌଣସି ସିନେମା ହଲ୍‌ରେ ରିଲିଜ୍‌ କରାଯିବ ନାହିଁ। ପ୍ରକାଶ ଯେ, କମଲ କିଛିଦିନ ତଳେ ତାମିଲ ଭାଷାରୁ କନ୍ନଡ଼ ଭାଷା ଜନ୍ମିତ ହୋଇଥିବା ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ପାଇଁ କମଲ କ୍ଷମା ନ ମାଗିବା ପର୍ଯ୍ୟନ୍ତ କର୍ନାଟକରେ ‘ଠଗ୍‌ ଲାଇଫ୍‌’କୁ ରିଲିଜ୍‌ ହେବାକୁ ଦିଆଯିବ ନାହିଁ ବୋଲି କେଏଫ୍‌ସିସି ପୂର୍ବରୁ ଘୋଷଣା କରିଥିଲା।

Share
Tags: kamal hasan