Categories: ଅନୁଗୋଳ

କନ୍ୟାବେଡ଼ାବାସୀ କଲବଲ

ବଅଁରପାଳ, ୧୬।୫(ଡି.ଏନ୍‌.ଏ.): ଗ୍ରାମବାସୀ ହାତପାଆନ୍ତାରେ ଯେପରି ପାନୀୟଜଳ ପାଇପାରିବେ ସେଥିଲାଗି ବିଛାଯାଇଛି ପାଇପ୍‌। ନିର୍ମାଣ ହୋଇଛି ଷ୍ଟାଣ୍ଡ୍‌ପୋଷ୍ଟ। ହେଲେ ନା ଆସୁଛି ପାଣି, ନା ମେଣ୍ଟୁଛି ଲୋକଙ୍କ ଶୋଷ। ଦିନେ ନୁହେଁ କି ଦୁଇଦିନ ଏହି ସମସ୍ୟା ଦୀର୍ଘ ୧୦ ବର୍ଷର। ଖାଲି ଏତିକି ନୁହେଁ, ଭୂତଳ ଜଳ ରସାତଳକୁ ଚାଲିଯାଇଥିବାରୁ ନଳକୂପଗୁଡ଼ିକ ଅଚଳପ୍ରାୟ। ପାଣି ସଂଗ୍ରହରେ ବିତିଯାଉଛି ଘଣ୍ଟା ଘଣ୍ଟା। ଫଳରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ପାଣି ମୁନ୍ଦାଏ ପାଇଁ କଲବଲ ହେଉଛନ୍ତି ଅନୁଗୋଳ ଜିଲା ବଅଁରପାଳ ବ୍ଲକ କନ୍ୟାବେଡା ଗ୍ରାମର ୪୦୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୧୨୦୦ ଲୋକ।


ଡହ ଡହ ଖରା। ବାହାରକୁ ବାହାରିଲେ ପୋଡ଼ିଯାଉଛି ଦେହମୁଣ୍ଡ। ଝାଞ୍ଜି ଆଉ ତତଲା ପବନରେ ସନ୍ତୁଳି ହେଉଛନ୍ତି ସଭିଏଁ। ଚଳିତବର୍ଷ ତାପମାତ୍ରାରେ ଏଭଳି ଅସ୍ବାଭାବିକ ବୃଦ୍ଧି ସବୁ ରେକର୍ଡ ଭାଙ୍ଗିଦେଇଥିବାବେଳେ କନ୍ୟାବେଡ଼ା ଗ୍ରାମରେ ଜଳକଷ୍ଟ ଉତ୍କଟ ରୂପ ଧାରଣ କରିଛି। ଗ୍ରାମବାସୀଙ୍କ କହିବା କଥା, ସୁବିଧାରେ ପାନୀୟ ଜଳ ଯୋଗାଣ ପାଇଁ ୧୦ବର୍ଷ ତଳେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ପାଇପ୍‌ ବିଛାଯିବା ସହିତ ପ୍ରମୁଖ ସ୍ଥାନରେ ନିର୍ମାଣ କରାଯାଇଥିଲା ୧୨ଟି ଷ୍ଟାଣ୍ଡ୍‌ପୋଷ୍ଟ। ଲୋକାର୍ପଣର କିଛିଦିନ ଯାଏ ସ୍ବାଭାବିକ ଭାବେ ପାଣି ଯୋଗାଣ ମଧ୍ୟ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହା ବନ୍ଦ ହୋଇଯାଇଛି। ଗ୍ରାମଠାରୁ ପ୍ରାୟ ଦେଢ଼ କିମି ଦୂର କୁରୁଡୁଲ ପ୍ରକଳ୍ପରୁ କନ୍ୟାବେଡାକୁ ଜଳଯୋଗାଣ ଲାଗି ବ୍ୟବସ୍ଥା କରାଯାଇଥିଲା। ତେବେ ବୈଷୟିକ ତ୍ରୁଟି ଯୋଗୁ ତଳମୁଣ୍ଡରେ ପାଣି ପହଞ୍ଚୁ ନ ଥିବା ଜଣାପଡ଼ିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ ଏହାର ସମାଧାନ ଦିଗରେ ଦୃଷ୍ଟି ଦେଉନାହାନ୍ତି। ସେହିପରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଭୂତଳ ଜଳସ୍ତର ହ୍ରାସ ପାଉଛି। ଫଳରେ ଗ୍ରାମରେ ଥିବା ୮ ନଳକୂପରୁ ଆବଶ୍ୟକତା ଅନୁଯାୟୀ ପାଣି ବାହାରୁନାହିଁ। କେତେକ ନଳକୂପରୁ ଲୁହା ଗୁଣ୍ଡମିଶା ପାଣି ବାହାରୁଥିବାବେଳେ ତାହା ବ୍ୟବହାର ଉପଯୋଗୀ ହେଉନାହିଁ। ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବା ପାଇଁ ଗ୍ରାମବାସୀ ଦୀର୍ଘପଥ ଅତିକ୍ରମ କରି ପାଣି ସଂଗ୍ରହ କରୁଛନ୍ତି। ଖରାଦିନେ ଜଳକଷ୍ଟର ଶିକାର ଗ୍ରାମକୁ ଟ୍ୟାଙ୍କର ଯୋଗେ ପାଣି ପହଞ୍ଚାଇବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହାକୁ ପ୍ରଶାସନ ଅଣଦେଖା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଜଳକଷ୍ଟର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ଏଲିଜା ମିଶ୍ର କହିଛନ୍ତି, ଗ୍ରାମରେ ପାନୀୟ ଜଳସଙ୍କଟ ଲାଗି ରହିଥିବା ଅଭିଯୋଗ ହୋଇଛି। ଯେପରି ଲୋକଙ୍କ ପାନୀୟ ଜଳ ଆବଶ୍ୟକତା ମେଣ୍ଟିବ, ସେଥିଲାଗି ଉଦ୍ୟମ କରାଯାଉଛି। ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇ ସମସ୍ୟାର ତୁରନ୍ତ ସମାଧାନ କରାଯିବ।