Categories: Home Leftଖେଳ

ମେ ୧୮ରୁ କଳିଙ୍ଗ ବ୍ଲାକ୍‌ ଟାଇଗର୍ସର ଅଭ୍ୟାସ

ଭୁବନେଶ୍ୱର, ୧୦।୪(ତପନ ସ୍ବାଇଁ): ରଗ୍‌ବୀ ଇଣ୍ଡିଆ ଓ ଜିଏମ୍‌ଆର୍‌ର ମିଳିତ ଆନୁକୂଲ୍ୟରେ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌) ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସ(ମୁମ୍ବାଇ ଫୁଟ୍‌ବଲ ଆରେନା)ରେ ଆସନ୍ତା ଜୁନ୍‌ ୧ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବିଶ୍ୱର ଏହି ପ୍ରଥମ ଫ୍ରାଞ୍ଚାଇଜ୍‌ଭିତ୍ତିକ ୭ଏସ୍‌ ଲିଗ୍‌ ପାଇଁ ଓଡ଼ିଶାଭିତ୍ତିକ ଦଳ କଳିଙ୍ଗ ବ୍ଲକ୍‌ ଟାଇଗର୍ସ ପ୍ରସ୍ତୁତ ହେଉଛି। ନିକଟରେ ମୁମ୍ବାଇରେ ଅନୁଷ୍ଠିତ ଆରପିଏଲ ନିଲାମରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଥିବା ଏହି ଦଳ ଓଡ଼ିଶା କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ରାଜ୍ୟ ସହ ଉତ୍ତମ ସମ୍ପର୍କ ରଖିଥିବା ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ସଂସ୍ଥା ‘ହଞ୍ଚ୍‌ ଭେଞ୍ଚର୍ସ’ର ପ୍ରତିଷ୍ଠାତା କରନ ପାଲ ସିଂଙ୍କ ସହଯୋଗରେ ଏହି ଫ୍ରାଞ୍ଚାଇଜ୍‌ ଆଗାମୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ। ଆଶିଷ ଶବର ଏହି ଦଳରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ସେହିପରି ରାଜୀବ ନାଥ ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଦଳର ଅଭ୍ୟାସ ମେ’ ୧୮ରୁ ଜୁନ୍‌ ୧ ପର୍ଯ୍ୟନ୍ତ ଚାଲିବ। ରଗ୍‌ବୀପ୍ରେମୀମାନେ ଜିଓ ସିନେମା ଏବଂ ଡିଜ୍‌ନି+ହଟ୍‌ଷ୍ଟାରରେ ସମସ୍ତ ଆକ୍ସନକୁ ସିଧାସଳଖ ଦେଖିପାରିବେ।

ବିରଳ କଳା ବାଘଙ୍କଠାରୁ ପ୍ରେରଣା ନେଇ କଳିଙ୍ଗ ବ୍ଲାକ୍‌ ଟାଇଗର୍ସ ଓଡ଼ିଶାର ଶକ୍ତି, ଚପଳତା ଏବଂ ଲଢୁଆ ଭାବନାର ପ୍ରତୀକକୁ ସୂଚିତ କରୁଛି। ଦଳ ଗଠନ ପରେ ରାଜ୍ୟରେ ଉତ୍ସାହ ପ୍ରକାଶ ପାଇଥିବାବେଳେ ଓଡ଼ିଶାର କ୍ରୀଡ଼ା ଇକୋସିଷ୍ଟମରେ ନୂଆଫର୍ଦ୍ଦ ଯୋଡ଼ି ହୋଇଛି। ନିଲାମରେ କଳିଙ୍ଗ ବ୍ଲାକ୍‌ ଟାଇଗର୍ସ ଅନ୍ତର୍ଜାତୀୟ ଓ ଶୀର୍ଷ ଭାରତୀୟ ପ୍ରତିଭାଙ୍କ ମିଶ୍ରଣରେ ଏକ ପ୍ରଭାବଶାଳୀ ଦଳ ଗଠନ କରିଛି। ଏଥିରେ ପେରି ବେକର, ରୋସ୍କୋ ସ୍ପେସ୍‌ମ୍ୟାନ, ହ୍ୟାରି ମ୍ୟାକନଲ୍ଟି, ମୋରିସ୍‌ ଲଙ୍ଗବଟମ, ଲୁକାସ ଲାକ୍ୟାମ୍ପ, କାଏଲ ଟ୍ରେମ୍ବଲେ, ଇଥାନ ଟର୍ନର, ଜେମ୍ସ ଥିଏଲଙ୍କ ଭଳି ବିଶ୍ୱସ୍ତୀରୟ ରଗ୍‌ବୀ ତାରକା ରହିଛନ୍ତି। ଦଳରେ ଭାରତୀୟ ଖେଳାଳିଙ୍କର ମଧ୍ୟ ଏକ ଦୃଢ଼ ଲାଇନ୍‌ଅପ୍‌ ରହିଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ଆଶିଷ ଶବରଙ୍କ ସମେତ ଅଜୟ ଦେଶୱାଲ, ପପୁ ତୋଡକର, ପ୍ରଦୀପ ସିଂ ଏବଂ ଅର୍ଜୁନ ମାହାତୋ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

କଳିଙ୍ଗ ବ୍ଲାକ୍‌ ଟାଇଗର୍ସର ମୁଖ୍ୟ କୋଚ୍‌ ହେଉଛନ୍ତି ମାଇକ ଫ୍ରାଇଡେ, ଯିଏକି ନିଜର ରଣନୀତି ଏବଂ ପରିବର୍ତ୍ତନକାରୀ ଲିଡରଶିପ୍‌ ପାଇଁ ବେଶ୍‌ ଜଣାଶୁଣା। ୟୁଏସ୍‌ଏ ରଗ୍‌ବୀ ଦ୍ୱାରା ନିଯୁକ୍ତ ଆମେରିକୀୟ ଜାତୀୟ ସେଭେନ୍ସ ଟିମ୍‌ର ମୁଖ୍ୟ ପ୍ରଶିକ୍ଷକ ଭାବେ ଦୀର୍ଘ ୧୦ ବର୍ଷ କାର୍ଯ୍ୟ କରିବା ପରେ ଫ୍ରାଇଡେ ଏବେ ନିଜର ବିଜୟ ମାନସିକତାକୁ ଟାଇଗର୍ସ ଦଳରେ ପ୍ରତିଫଳିତ କରିବାକୁ ପ୍ରସ୍ତୁତ। ଓଡ଼ିଶା ପୁରୁଷ ରଗ୍‌ବୀ ଦଳର ପୂର୍ବତନ ଅଧିନାୟକ ରାଜୀବ ନାଥ ସହକାରୀ ପ୍ରଶିକ୍ଷକ ଭାବେ ଯୋଗଦେଇଛନ୍ତି।

ଓଡ଼ିଶାରେ ରଗ୍‌ବୀ ସମ୍ପ୍ରତି ବିଶେଷକରି ଆଦିବାସୀ ସଂପ୍ରଦାୟର ଖେଳାଳିଙ୍କୁ ନେଇ ବେଶ୍‌ ସମୃଦ୍ଧ। ଏବେ ଜାତୀୟସ୍ତରରେ ଓଡ଼ିଶାଭିତ୍ତିକ ଫ୍ରାଞ୍ଚାଇଜ୍‌ ଦଳ ନିଜର ଦକ୍ଷତା ଦେଖାଇବାକୁ ପ୍ରସ୍ତୁତ। ରଗ୍‌ବୀର ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ ଅନୁଗାମୀ ଅଛନ୍ତି ଏବଂ ଜାତୀୟସ୍ତରରେ ଏହା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।

ଓଡ଼ିଶା ଏବେ ବିଭିନ୍ନ କ୍ରୀଡ଼ାର ବିକାଶ ପାଇଁ କାର୍ଯ୍ୟ କରୁଥିବାରୁ ରଗ୍‌ବୀ ଏଥିରୁ ବେଶ୍‌ ଉପକୃତ ହେବ ବୋଲି କଳିଙ୍ଗ ବ୍ଲାକ ଟାଇଗର୍ସର ସହ ମାଲିକ ତଥା ହଞ୍ଚ୍‌ ଭେଞ୍ଚର୍ସର ପ୍ରତିଷ୍ଠାତା କରନ ପାଲ ସିଂ କହିଛନ୍ତି। ”ଆମେ ବିଶ୍ୱର କୋଣ ଅନୁକୋଣରୁ ଅନ୍ତର୍ଜାତୀୟ ସ୍ତରରେ ଅସାଧାରଣ ଖେଳାଳି ଏବଂ ପ୍ରକୃତ ସାମର୍ଥ୍ୟ ଥିବା ସ୍ଥାନୀୟ ପ୍ରତିଭାମାନଙ୍କୁ ନେଇ ଏକ ଶକ୍ତିଶାଳୀ ଦଳ ଗଠନ କରିଛୁ। କଳିଙ୍ଗ ବ୍ଲାକ୍‌ ଟାଇଗର୍ସ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବାରୁ ଆମେ ସମସ୍ତେ ଖୁବ୍‌ ଉତ୍ସାହିତ। ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ପାଇଁ କଠିନ ପରିଶ୍ରମ କରିବୁ ଏବଂ ଆରପିଏଲର ଉଦ୍‌ଘାଟନୀ ସଂସ୍କରଣକୁ ଜିତିବା ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେବୁ“ ବୋଲି ମୁଖ୍ୟ କୋଚ୍‌ ମାଇକ ଫ୍ରାଇଡେ ପ୍ରକାଶ କରିଛନ୍ତି।

Share
Tags: sports