ପ୍ରବଳ ଶୀତରେ କଲବଲ ଜି.ଉଦୟଗିରି

ଜି.ଉଦୟଗିରି,୨୦।୧(ଚିନ୍ମୟ କୁମାର ସେଠୀ /ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲାର ଦାର୍ଜିଲିଂ କୁହାଯାଉଥିବା ଜି.ଉଦୟଗିରି ଅଞ୍ଚଳରେରେ ପ୍ରବଳ ଶୀତ ଜାଡ଼ ସହ ଦୈନନ୍ଦିନ ପାରଦ କମୁଛି। ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛ। ଶୀତର ମଜା ନେବା ପାଇଁ ଜିଲା ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି।
କନ୍ଧମାଳ ଜିଲାର ଅନ୍ୟସ୍ଥାନ ତୁଳନାରେ ସରକାରୀ ସ୍ତରରେ ସ୍ଥାନୀୟ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ହୋଇ ପାରି ନ ଥିବା ନେଇ ଅଞ୍ଚଳରେ ଆଲୋଚନା ହେଉଛି। ଗତ ଶନିବାର ରାଜ୍ୟର ସବୁଠାରୁ କମ ତାପମାତ୍ରା ୫ ଡିଗ୍ରୀ ସେଲସିୟସ, ରବିବାର ୪.୮ ଡିଗ୍ରୀ ରହିଥିବା ବେଳେ ସୋମବାର ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରେକଡ୍‌ କରାଯାଇଥିବା ନେଇ ସ୍ଥାନୀୟ  ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। କ୍ରମଶଃ ପ୍ରତିଦିନ ପାରଦ ତଳ ମୁହାଁ ହେଉଥିବା ବେଳେ ପ୍ରବଳରୁ  ଅତିପ୍ରବଳ  ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି।