ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ ତୁହା ପବନ ସାଙ୍ଗକୁ କୁଆପଥର ମାଡ ଯୋଗୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କେଉଁଠି ଗରିବ ଲୋକଙ୍କ ଚାଳ ଉଡ଼ିଯାଇଛି ତ କେଉଁଠି ଆଜବେଷ୍ଟସ ଛାତ ଭାଙ୍ଗି ଚୁରମାର ହୋଇଯାଇଛି। ବିଶେଷକରି ସେର୍କାପାଇ, ଢୋଲପାସ ଓ ସାନଛତ୍ରଙ୍ଗ ଅଞ୍ଚଳରେ ପ୍ରକୃତିର ଏହି କୋପ ଅଧିକ ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ଗତ ବୁଧବାର କେରପାଇ ପଞ୍ଚାୟତ ଅନ୍ତର୍ଗତ ସେର୍କାପାଇ ଗ୍ରାମର ପବିତ୍ର ନାଏକ ଓ ବୁଡୁ ମାଝିଙ୍କ ଘର ଉପରେ କାଳବୈଶାଖୀ କରାଳରୂପ ଦେଖାଇଛି। ପବନର ବେଗ ଏତେ ପ୍ରବଳ ଥିଲା ଯେ, ସେମାନଙ୍କ ଘରର ଆଜବେଷ୍ଟସ ଛାତ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି।
ସେହିପରି ଗୁରୁବାର ସାରେ ଅଡ୍ରି ପଞ୍ଚାୟତ ଢୋଲପାସ ଗ୍ରାମର ସାଗୁରାମ ନାଏକଙ୍କ ବାସଭବନ ମଧ୍ୟ ପବନ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ଛାତ ଉଡ଼ିଯିବା ଫଳରେ ଘରେ ରଖାଯାଇଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଖାଦ୍ୟଶସ୍ୟ ଓ ଆସବାପତ୍ର ସବୁ ନଷ୍ଟ ହୋଇଯାଇଛି। ଏବେ ଏହି ଗରିବ ପରିବାରମାନେ ଖୋଲା ଆକାଶ ତଳେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ଖାଲି ବ୍ୟକ୍ତିଗତ ବାସଭବନ ନୁହେଁ, ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତି ପାରିନାହିଁ। ସାନଛତ୍ରଙ୍ଗ ପ୍ରାଥମିକ ବିଦ୍ୟାଳୟର ଛାତରେ ଲାଗିଥିବା ଟିଣ ପବନରେ ଉଡ଼ିଯାଇ ବହୁ ଦୂରରେ ପଡ଼ିଛି। ଅନ୍ୟପଟେ ବ୍ଲକର ବିଭିନ୍ନ ସ୍ଥାନରେ ଗଛ ପଡ଼ି ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ଯାଇଥିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଚାଷ ଜମିରେ ମଧ୍ୟ ବ୍ୟାପକ ଫସଲ ହାନି ହୋଇଥିବା ଖବର ମିଳୁଛି। ଗୋପାଳପୁର ପଞ୍ଚାୟତରେ କୁଆପଥର ବର୍ଷା ଯୋଗୁ ସାଧାରଣ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ବିପନ୍ନ ପରିବାରମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Dharitri – Odisha’s No.1 Odia Daily