ଖେଳ ସାମଗ୍ରୀ କ୍ରୟରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସର ତଦନ୍ତ ଆରମ୍ଭ

ଭବାନୀପାଟଣା,୧୨ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରତି ପଞ୍ଚାୟତକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଗାଯାଇଥିବା ଖେଳ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ନିମ୍ନମାନର ସାମଗ୍ରୀ ବଣ୍ଟନ କରାଯାଇଥିବା ଖେଳାଳିମାନେ ଅଭିଯୋଗ ଆଣିଥିଲେ।

ବ୍ଲକରେ ୩୪ ପଞ୍ଚାୟତ ରହିଥିବାବେଳେ ପ୍ରତି ପଞ୍ଚାୟତକୁ ଅଢେଇଲକ୍ଷ ଟଙ୍କା ହିସାବରେ ୮୫ଲକ୍ଷ ଟଙ୍କାର କ୍ରୀଡ଼ା ସାମଗ୍ରୀ ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା କଳାହାଣ୍ଡି ଜିଲା ସମେତ ଓଡ଼ିଶାରେ ଅନେକ ଖେଳ ସାମଗ୍ରୀ ଦୋକାନ ରହିଥିବାବେଳେ ଛତିଶଗଡ଼ ରାଜ୍ୟ ରାୟପୁରର ଏକ ନିର୍ଦ୍ଦିଷ୍ଟ ଦୋକାନରୁ ଏହି ସାମଗ୍ରୀ କିଣାଯାଇଥିଲା। ଏହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ପ୍ରଥମେ ଗତ ଫେବୃଆରୀ ୧୨ରେ ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କାଲୋପଲା ପଞ୍ଚାୟତରେ ନିମ୍ନମାନର କ୍ରୀଡା ସାମଗ୍ରୀ ଯୋଗୁ ସ୍ଥାନୀୟ ଖେଳାଳି ପଞ୍ଚାୟତକୁ ଫେରାଇଥିଲେ। ଏହାକୁ ଭିଜିଲାନ୍ସ ଦ୍ବାରା ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଥିଲା। ଫଳରେ ଗତ ୨ଦିନ ହେଲା ଜୁନାଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ଯୋଜନାରେ ଆସିଥିବା କ୍ରୀଡା ସାମଗ୍ରୀକୁ ତଦନ୍ତ କରୁଛି କଳାହାଣ୍ଡି ଭିଜିଲାନ୍ସ। ମଙ୍ଗଳବାର ପ୍ରଥମ ଦିନରେ ଭିଜିଲାନ୍ସ ବିଭାଗ ଜୁନାଗଡ଼ ବ୍ଲକର ବଣିଜରା, ମାଟିଗାଁ, ବୁଡିଦର, ତଲଜାରିଙ୍ଗ ପଞ୍ଚାୟତକୁ ଯାଇ ତଦନ୍ତ କରିଥିଲେ। ଦ୍ୱିତୀୟ ଦିନରେ ବୁଧବାର ବଳଦିଆମାଲ, ପଲାସ, କାଲୋପଲା, ମହିଚଲା ଓ ଚାରବାହାଲ ପଞ୍ଚାୟତକୁ ଯାଇ ତଦନ୍ତ କରିଥିବା ଜଣାପଡିଛି। ଏହାକୁ ନେଇ ଅଧିକାରୀ, କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ତଦନ୍ତ ବେଳେ ଭିଜିଲାନ୍ସ ଡ଼ିଏସ୍‌ପି ପ୍ରଦୀପ କୁମାର ଆଇନ୍ଦ, ଇନ୍ସପେକ୍ଟର ଆଲୋକ କୁମାର ମହାପାତ୍ର, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ସାମିଲ ଥିଲେ। ଏ ନେଇ ଭିଜିଲାନ୍ସ ଡ଼ିଏସ୍‌ପି ଆଇନ୍ଦଙ୍କୁ ପଚାରିବାରୁ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି, ତଦନ୍ତ ଶେଷ ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Share
Tags: odisha