କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ଅନ୍ଧାରରେ ଗାଁ

ନନ୍ଦପୁର,୨୫।୪(ତୁଷାରକାନ୍ତ ମହାନ୍ତି): ନବରଙ୍ଗପୁର ଜିଲା ନନ୍ଦପୁରରେ ଶନିବାର କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ଏକାଧିକ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି।

ଗଛ ପଡ଼ି ତାର ଛିଣ୍ଡିଯିବାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ନନ୍ଦପୁର-ସେମିଳିଗୁଡା ସଂଯୋଗୀ ଏମ୍‌ଡିଆର ୫୫ ରାସ୍ତାର ଚିଙ୍ଗୁଡ଼ିଚୁଆଁ ଓ ଜୟପୁର-ବିଶାଖାପାଟଣା ସଂଯୋଗୀ ରାଜ୍ୟ ରାଜପଥର କଉଡ଼ିଖାଲ ଗ୍ରାମ ନିକଟରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିଲା। ଯାହାକୁ ନନ୍ଦପୁର ଅଗ୍ନିଶମ ବାହିନୀ କାଟି ହଟାଇଥିଲେ। ଏହାପରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଆବଶ୍ୟକ ମରାମତି କରି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିଥିଲେ। ହେଲେ କଉଡ଼ିଖାଲ ନିକଟରେ ଗଛ କଟା କାମ ଚାଲଛି। ଫଳରେ ଚାଟୁଆ ପଞ୍ଚାୟତ ଅନ୍ଧାରରେ ରହିଛି।