କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ବିଦ୍ୟୁତ୍‌ ସେବା ଠପ

ଅତାବିରା,୧।୫(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି। ଝଡବତାସ ସହିତ ପ୍ରବଳ ବର୍ଷା ଯୋଗୁ ରାସ୍ତା ପାର୍ଶ୍ୱରେ ଥିବା ବଡ଼ବଡ଼ ଗଛ ଭାଙ୍ଗି ଯାତାୟତ ଠପ୍‌ ହୋଇଯାଇଥିଲା। ତେବେ ଅତାବିରା ଅଗ୍ନିଶମ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ଜାତୀୟ ରାଜପଥରେ ମଙ୍ଗଳବାର ରାତି ୧୦ଟାରେ ଗାଡି ଚଳାଚଳ ସ୍ବଭାବିକ ହୋଇଥିବା ବେଳେ ବାବେବିରା ଗ୍ରାମରେ ରାସ୍ତା ରାତ୍ରି ସାଢେ ୧୧ଟାରେ ସ୍ବଭାବିକ ହୋଇଥିଲା l ଅନ୍ୟପକ୍ଷେ ସରଣ୍ଡା ମହାପାତ୍ରପଡା ଗ୍ରାମ୍ୟ ରାସ୍ତାରେ ଏକ ବିରାଟ ବଟ ବୃକ୍ଷ, ବେଳ ଗଛ ଏବଂ ତେନ୍ତୁଳି କଣ୍ଟା ବୃକ୍ଷ ଭାଙ୍ଗି ରାସ୍ତାରେ ପଡିଥିଲା। ଫଳରେ ସମ୍ପୃକ୍ତ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା l

ତେବେ ଅତାବିରା ଅଗ୍ନିଶମ ବିଭାଗ ବୁଧବାର ସକାଳେ ଖବର ପାଇ କେନ୍ଦ୍ର ଅଧିକାରୀ ମିଶ୍ର କଷାନଙ୍କ ନେତୃତ୍ୱରେ ୬ ଘଣ୍ଟା ପରିଶ୍ରମ କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା l ଏଥିରେ ମହାପାତ୍ର ପଡ଼ାବାସୀ ସହଯୋଗ କରିଥିଲେ। ତେବେ ଗୁରୁବାର ରାତିରେ ପୁଣି କାଳବୈଶାଖୀ ଝଡ଼ବତାସ ସହ ପ୍ରବଳ ବର୍ଷା ହୋଇଛି। ଫଳରେ ଅମଳ ଧାନ ଫସଲ ନଷ୍ଟ ହୋଇଯିବା ଆଶଙ୍କା ଦେଖାଦେଇଛି।

ଫାୟାର ଫାଇଟର ରାଜେନ୍ଦ୍ର ଏକ୍କା, ଯୋଗେଶ ନାୟକ, ଚକ୍ରଧର ଦାଣ୍ଡିଆ, ବିକି ବେହେରା, ପୁରୁଷୋତ୍ତମ ସାହୁ, ଏବଂ ଗାଡି ଚାଳକ ପ୍ରଦୀପ କୁମାର ହେସ ପହଞ୍ଚି ପଡାବାସୀଙ୍କ ସହଯୋଗରେ ଗଛଗୁଡିକୁ କଟର ସାହାଯ୍ୟରେ କାଟି ହଟାଇଥିଲେ। ଅଗ୍ନିଶ୍ରମ ବିଭାଗ ପାଖରେ ଥିବା ଗୋଟିଏ କଟର ମେଶିନରେ କାମ କରୁଥିବା ଦେଖିବାକୁ ମିଳିଥିଲା l ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅତାବିରା ଅଗ୍ନିଶ୍ରମ ବିଭାଗକୁ ଅଧିକ ଗଛ କଟା କଟର ମେଶିନ ଯୋଗାଇ ଦେବାକୁ ସରଣ୍ଡା ମହାପାତ୍ର ପଡାବାସୀ ଦାବି କରିଥିଲେ l

ସୂଚନା ଯୋଗ୍ୟ, ସମ୍ବଲପୁର- ବରଗଡ଼ ଓ ବରଗଡ- ସମ୍ବଲପୁର ଚାରିଥାକିଆ ୫୩ ନମ୍ବର ଜାତୀୟ ରାଜପଥର ଦେବହାଲ, ରେଙ୍ଗାଲି କେମ୍ପ ଓ ଶୁକ୍ରୁଟାପାଲିରେ କାଳବୈଶାଖୀ ପ୍ରଭାବରେ ଗଛ ଭାଙ୍ଗି ଜାତୀୟ ରାଜପଥ ଅବରୋଧ ହୋଇପଡିଥିଲା। ସେହିପରି ବାବେବିରା ଗ୍ରାମ୍ୟ ରାସ୍ତାରେ ମଧ୍ୟ ଅନୁରୂପ ଭାବେ ଗଛ ପଡି ଯାତାୟତ ବାଧା ପ୍ରାପ୍ତ ହୋଇଥିଲା।

ତେବେ ଅତାବିରା ସହରାଞ୍ଚଳରେ ୨୪ ଘଣ୍ଟା ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା l ଗୁରୁବାର ମଧ୍ୟ ଅନୁରୂପ ସମସ୍ୟା ଦେଖା ଦେଇଛି। ଏନେଇ ଅତାବିରା ବିଦ୍ୟୁତ୍‌ ଏସଡ଼ିଓଙ୍କ ମୋବାଇଲ ନମ୍ବର 9437058021ରେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରି ନ ଥିଲା।