ଦାରିଙ୍ଗବାଡ଼ିରେ କାଳବୈଶାଖୀର ତାଣ୍ଡବ: ଉଡ଼ିଗଲା ଏକାଧିକ ଘରର ଆଜବେଷ୍ଟସ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ…

ଦାରିଙ୍ଗବାଡ଼ି, ୧୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବାଡାବାଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରୁତୁବାଡ଼ି ଗ୍ରାମରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରଚଣ୍ଡ ପବନ ଯୋଗୁ ଗ୍ରାମର ଗୋଷ୍ଠୀ ଗୃହ ସମେତ ଏକାଧିକ ପରିବାରର ଆଜବେଷ୍ଟସ ଉଡ଼ିଯାଇ ବ୍ୟାପକ କ୍ଷୟକ୍ଷତି ଘଟିଛି।
ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ହଠାତ ପବନର ବେଗ ବଢ଼ିଯାଇଥିଲା। ଏହି କାଳବୈଶାଖୀ ଝଡ଼ରେ ପ୍ରାୟ ୮ଟି ଆଜବେଷ୍ଟସ ଉଡ଼ିଯାଇ ନଷ୍ଟ ହୋଇଛି। ଗ୍ରାମର ରମାକାନ୍ତ ନାୟକଙ୍କ ୭ଟି ଏବଂ ଶଙ୍କର ପ୍ରଧାନଙ୍କ ୯ଟି ଆଜବେଷ୍ଟସ ପବନରେ ଉଡ଼ିଯାଇ ବହୁ ଦୂରରେ ଛିନଛତ୍ର ହୋଇ ପଡ଼ିଥିବା ସ୍ଥାନୀୟ ବାସିନ୍ଦା ପଙ୍କଜ ପ୍ରଧାନ ସୂଚନା ଦେଇଛନ୍ତି।
ବିଶେଷ କଥା ହେଉଛି, ଏହି କାଳବୈଶାଖୀ ସମୟରେ କେବଳ ପ୍ରଚଣ୍ଡ ପବନ ବୋହିଥିଲା କିନ୍ତୁ ବର୍ଷା ହୋଇ ନ ଥିବା ଗ୍ରାମବାସୀ କହିଛନ୍ତି। ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ତହସିଲଦାର ଧୀରୋଜ ପାତ୍ରଙ୍କୁ ଟେଲିଫୋନ ଯୋଗେ ଅବଗତ କରାଇଥିଲେ। ଖବର ପାଇବା ମାତ୍ରେ ତହସିଲଦାର ସ୍ଥାନୀୟ ରାଜସ୍ବ ନିରୀକ୍ଷକ (RI)ଙ୍କୁ ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ସୁଦ୍ଧା ରାଜସ୍ବ ନିରୀକ୍ଷକ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବେ। ରିପୋର୍ଟ ହସ୍ତଗତ ହେବା ପରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା ଓ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଧୀରୋଜ ପାତ୍ର, ତହସିଲଦାର, ଦାରିଙ୍ଗବାଡ଼ି କହିଛନ୍ତି।
Dharitri – Odisha’s No.1 Odia Daily

Share