ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ ଝଡ ତୋଫାନ ସହିତ ପ୍ରବଳ ବର୍ଷା ହୋଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ବହୁ ଛୋଟ ବଡ ଗଛ ବୃକ୍ଷ ଭାଙ୍ଗିଯିବା ସହ ବହୁ ଘରରେ ଟାଇଲ ଛପର ଓ ଆଜବେଷ୍ଟସ୍ ଛାତ ଉଡିଯାଇଥିବା ଜଣାପଡିଛି । ଏଥିସହିତ ବହୁ ସଂଖ୍ୟକ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ରାସ୍ତା ଉପରେ ପଡି ରାସ୍ତା ଅବରୋଧ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବାସହ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ଦେବଗଡସ୍ଥିତ ନୂଆ ବସଷ୍ଟାଣ୍ଡରେ ମଧ୍ୟ ଏକ ବଡ ବିଦ୍ୟୁତ ଖୁଣ୍ଟ ଟଳି ପଡିବା ସହ ରାସ୍ତା ଉପରେ ପଡିରହିଥିବା ଦେଖିବାକୁ ମିଳିଛି । ଏହି ସବୁ କାରଣରୁ ରାତ୍ରୀ ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇପାରିନାହିଁ । ତେବେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି ।