ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ ପଞ୍ଚୁଦଣ୍ଡ ମିଳନ କୁର୍ତମଗଡ଼ ବଜାର ମଧ୍ୟରେ ଚାଲିଥିବା ସମୟରେ ଦିନ ଦୁଇପହରରେ ହଠାତ୍‌ ହାଲୁକା ପବନ ଆରମ୍ଭ ହୋଇ ଆସ୍ତେଆସ୍ତେ ପବନରେ ଗତି ତୀବ୍ର ରୂପ ନେଇଥିଲା । ଦେଖୁଦେଖୁ ଉଡିବାରେ ଲାଗିଲା ଏକାଧିକ ଘର ଛପର ଏବଂ ଭାଙ୍ଗିଲା ବଡ଼ ବଡ଼ ଗଛ । ଲୋକେ ଭୟରେ ଆତଙ୍କିତ ହୋଇଉଠିଲେ । ବିଜୁଳି ସହ ଘଡଘଡି ମାରି ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା । ପ୍ରବଳ ବର୍ଷା ହେବା ଫଳରେ ଛପର ଉଡିଯାଇଥିବା ଘରଗୁଡାକରେ ନିଜନିଜ ଆସବାବ ପତ୍ର ଏବଂ ଖାଇବା ପାଇଁ ରଖିଥିବା ଖାଦ୍ୟ ସାମଗ୍ରୀ ବର୍ଷା ପାଣିରେ ଓଦା ହୋଇ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । କାଳବୈଶାଖୀ ନିଜର ତାଣ୍ଡବ ରଚାଇ ୧୫ରୁ ୨୫ ଘର ଛାରଖାର୍‌ କରିଦେଇଥିବା ଦେଖିବାକୁ ମିଳିଛି । ତେବେ ଏହି ଖବର ତୁମୁଡିବନ୍ଧ ଅଗ୍ନିଶମ କାର୍ଯ୍ୟାଳୟକୁ ପହଞ୍ଚିବା ପରେ ଅଗ୍ନିଶମ ବିଭାଗର ଅଧିକାରୀ ଚିତ୍ତରଞ୍ଜନ ସାହୁ ଏବଂ ସଦଳବଳେ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗଛକଟା ଆରମ୍ଭ କରିଥିଲେ । ପଡ଼ିଥିବା ସମସ୍ତ ଗଛଗୁଡାକୁ ଜେନେରେଟର କଟର ସାହାଯ୍ୟରେ କାଟି ସଫା କରିଥିଲେ। ଛପର ଉଡିଯାଇଥିବା ପରିବାରଙ୍କ ପାଖରେ ଘଟଣା ଘଟିବାର ଦୀର୍ଘ ସମୟ ପରେ ମଧ୍ୟ କୌଣସି ସରକାରୀ ଅଧିକାରୀ ପହଞ୍ଚି ନଥିଲେ । ଏହି ବାବଦରେ ତୁମୁଡିବନ୍ଧ ତହସିଲଦାର ଦଳଗୋବିନ୍ଦ ସାହୁଙ୍କୁ ପଚାରିବାରୁ ଆରଆଇଙ୍କୁ ଆମେ ପଠେଇଛୁ ଏବଂ ଆରଆଇ ଯାହାସବୁ ତଦନ୍ତ ରିପୋର୍ଟ ପ୍ରଦାନ କରିବେ ତାହାକୁ ଆଧାର କରି ଯେତିକି କ୍ଷୟକ୍ଷତି ହୋଇଛି ସେହି ପରିବାରଙ୍କୁ ସରକାର ତରଫରୁ ସବୁ ସୁବିଧା ଅଛି ତାହାକୁ ଆମେ ତୁରନ୍ତ ସେମାନଙ୍କୁ ଯୋଗାଇଦେବୁ ବୋଲି କହିଛନ୍ତି l ଗତକାଲିର କାଳବୈଶାଖୀ ଯୋଗୁ ଜଙ୍ଗଲ ମଧ୍ୟରେ ବିଭିନ୍ନ ବଡ଼ ବଡ଼ ଗଛ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡିଥିବାରୁ ଦୀର୍ଘ ୧୨ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବାଲିଗୁଡାରୁ ତୁମୁଡିବନ୍ଧକୁ ବିଦ୍ୟୁତ ବଚ୍ଛିନ୍ନ ହୋଇପଡିଛିl ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ କୁର୍ତମଗଡ଼ ଆରଆଇ ଅଭିଷେକ ମହାପାତ୍ର କାଳବୈଶାଖୀରେ କ୍ଷୟକ୍ଷତି ହୋଇଥିବା ପ୍ରତ୍ୟେକ ସାହିଗୁଡାକ ବୁଲି ତଦନ୍ତ କରୁଥିବା ସୂଚନା ମିଳିଛି ।

 

Dharitri – Odisha’s No.1 Odia Daily

Share