ଅନ୍ୟାୟ ବିରୋଧରେ ଲଢ଼ିବେ କାଜଲ

ମୁମ୍ବାଇ: ମାଇଥୋଲୋଜିକାଲ ହରର୍‌ ଫିଲ୍ମ ‘ମା’ରେ ଅଭିନେତ୍ରୀ କାଜଲ ଦେବଗନ୍‌ଙ୍କୁ ଦେଖିବାକୁ ମିଳିବ। ଏନେଇ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ମଙ୍ଗଳବାର ନିର୍ମାତାଙ୍କ ପକ୍ଷରୁ ଫିଲ୍ମରେ କାଜଲଙ୍କ ପ୍ରଥମ ଲୁକ୍‌କୁ ଶେୟାର କରାଯିବା ସହ ଏହାର ରିଲିଜ୍‌ ତାରିଖକୁ ଘୋଷଣା କରାଯାଇଛି।
ଜୁନ୍‌ ୨୭ରେ କାଜଲଙ୍କ ଅଭିନୀତ ମା’ ଫିଲ୍ମ ରିଲିଜ୍‌ ହେବ। ଫିଲ୍ମରେ କାଜଲଙ୍କ ସହ ଅଭିନେତା ରୋନିତ ରଏ, ଇନ୍ଦ୍ରନୀଲ ସେନ୍‌ଗୁପ୍ତା ଏବଂ ଶିଶୁ କଳାକାର ଖେରିନ ଶର୍ମାଙ୍କୁ ଦେଖିବାକୁ ମିଳିବ। ବିଶାଲ ଫୁରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମା’ ଭୂମିକାରେ ଅଭିନୟ କରି କାଜଲ ଅନ୍ୟାୟ ବିରୋଧରେ ଲଢ଼ିବା ସହ ନିଜ ଝିଅକୁ ସୁରକ୍ଷା ଦେଉଥିବାର ନଜରକୁ ଆସିବେ। କାଜଲଙ୍କ ସ୍ବାମୀ ତଥା ଅଭିନେତା ଅଜୟ ଦେବଗନ୍‌ ଏବଂ ଜ୍ୟୋତି ଦେଶ୍‌ପାଣ୍ଡେଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ଫିଲ୍ମର କାହାଣୀ ଲେଖିଛନ୍ତି ସାଇଓ୍ବାନ୍‌ କ୍ୱାଦ୍ରାସ୍‌। ଫିଲ୍ମର ପ୍ରଡକ୍ସନ କମ୍ପାନୀ ‘ଦେବ୍‌ଗନ ଫିଲ୍ମସ୍‌’ ପକ୍ଷରୁ ସୋସିଆଲ ମିଡିଆରେ ଏହାର ପ୍ରଥମ ମୋଶନ ପୋଷ୍ଟରକୁ ଜାରି କରାଯାଇଛି, ଯେଉଁଥିରେ କାଜଲ ଜଣେ ମା’ ଭୂମିକାରେ ନିଜ ଝିଅକୁ କୁଣ୍ଢାଇ ଧରିଥିବା ନଜରକୁ ଆସିଛନ୍ତି। ଏହି ପୋଷ୍ଟରରେ କାଜଲଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ‘ମା’ ଫିଲ୍ମ ଏକକାଳୀନ ହିନ୍ଦୀ, ତାମିଲ, ତେଲୁଗୁ ଏବଂ ବେଙ୍ଗଲି ଭାଷାରେ ରିଲିଜ୍‌ ହେବ। କାଜଲଙ୍କୁ ଶେଷଥର ପାଇଁ ଗତବର୍ଷ ରିଲିଜ୍‌ ହୋଇଥିବା ‘ଦୋ ପତି’ ଫିଲ୍ମରେ ଦେଖିବାକୁ ମିଳିଥିଲା।