ନୂଆଦିଲ୍ଲୀରେ ସମ୍ମାନିତ ହେଲେ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ନୂଆଦିଲ୍ଲୀ ସ୍ଥିତ ସରପଞ୍ଚ ସମ୍ବାଦ ପରିବାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜାତୀୟ ଗୁଣବତ୍ତା ସମ୍ମିଳନୀର ସମ୍ବର୍ଦ୍ଧନା ଉତ୍ସବରେ ଦିଗପହଣ୍ଡି ବ୍ଳକ  କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ଗଞ୍ଜାମ ଜିଲା ସରପଞ୍ଚ ସଂଘ ସଭାପତି  ମନୋରଞ୍ଜନ ଗୈାଡ ସମ୍ମାନିତ ହୋଇଥିବା ଜଣାପଡିଛି। ସୋମବାର ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ୭୫ ଜଣ ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା  ବେଳେ ଓଡ଼ିଶାର ୬୭୯୮ ସରପଞ୍ଚଙ୍କ ମଧ୍ୟରୁ ଏକମାତ୍ର ସରପଞ୍ଚ ଭାବେ ମନୋରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମନୋରଞ୍ଜନଙ୍କ ଏଭଳି ସଫଳତା ଓଡ଼ିଶା ତଥା ଗଞ୍ଜାମ ଜିଲାର ଦିଗପହଣ୍ଡି ବ୍ଳକ ପାଇଁ ଗୈାରବ ଆଣିଛନ୍ତି। ଏହି କାର୍ଯ୍ୟକ୍ରମରେ  କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି. ଆର୍. ପାଟିଲ , କେନ୍ଦ୍ର ପଞ୍ଚାୟତରାଜ ସଚିବ ବିବେକ ଭରଦ୍ୱାଜ, କେନ୍ଦ୍ର ପାନୀୟଜଳ ପରିମଳ ଓ ଜଳଶକ୍ତି ବିଭାଗ ସଚିବ ଅଶୋକ କେ. ମୀନା, କ୍ୟୁସିଆଇର ଅଧ୍ୟକ୍ଷ ଜାକ୍ସି ସାହା ଉପସ୍ଥିତ ରହି ଦେଶର ମେରୁଦଣ୍ଡ ଭାବେ ବିବେଚିତ ଗ୍ରାମ ପଞ୍ଚାୟତର ବିକାଶ କିପରି ହେବ ଓ ଏହାର ଗୁଣବତ୍ତା କିପରି ସ୍ୱଚ୍ଛ ଓ ସୁଜ୍ଜଳ ହୋଇପାରିବ ଓ ସରପଞ୍ଚ ସମ୍ବାଦ କ୍ୱାଲିଟି କାଉନସିଲ ଅଫ୍ ଇଣ୍ଡିଆ ସଂସ୍ଥା ମାଧ୍ୟମରେ ଦେଶର କୋଣ ଅନୁକୋଣରେ ହେଉଥିବା ବିକାଶ କିପରି ଦେଶ ଦେଖିବ ସେନେଇ ଉଦବୋଧନ ଦେଇଥିଲେ । ଏହି ସଫଳତା ମିଳିବାପରେ କଇଠଖଣ୍ଡି ଗ୍ରାମପଞ୍ଚାୟତକୁ ଦେଶର ସର୍ବୋତ୍ତମ ଗ୍ରାମ ପଞ୍ଚାୟତ ଗଢ଼ି ତୋଳିବାର ପ୍ରେରଣା ମିଳିବା ସହ  ଆଗାମୀ ଦିନରେ ପଞ୍ଚାୟତବାସୀଙ୍କ  ସହଯୋଗ ଜାରି ରହିଲେ ଆମ ପଞ୍ଚାୟତ ଆନ୍ତର୍ଜାତୀୟସ୍ତରରେ ମଧ୍ୟ ପରିଚିତ ହୋଇପାରିବ ବୋଲି  ସରପଞ୍ଚ ତାଙ୍କ ପ୍ରତିକ୍ରିୟାରେ  କହିଛନ୍ତି ।

Share
Tags: ganjamodisha