ନୂଆପଡ଼ା,୧ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୋସେଙ୍ଗ ପଞ୍ଚାୟତ ଭାଓସିଲ ଗ୍ରାମବାସୀଙ୍କ ପାଇଁ କାଡିପାନି ନାଳ ବାଧକ ସାଜିଛି। ସୂଚନା ଅନୁଯାୟୀ ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଭାଓସିଲ ଗାଁ ନୂଆପଡା ବ୍ଲକ ଓ ଛତିଶଗଡ ସୀମାନ୍ତରେ ଅବସ୍ଥିତ। ଗାଁରେ ୨୬ ପରିବାରର ୨ ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଗାଁକୁ ଯିବାକୁ ହେଲେ ରାସ୍ତାରେ କାଡିପାନି ନାଳ ପଡେ। ପାହାଡିଆ ଅଞ୍ଚଳ ହୋଇଥିବାରୁ ଅଳ୍ପ ବର୍ଷା ହେଲେ ନାଳରେ ପାଣି ଭର୍ତ୍ତିହୋଇ ଯାଉଥିବାରୁ ଲୋକେ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହି ରାସ୍ତା ମୁଖ୍ୟ ବଜାର ଧରମବନ୍ଧା ଓ ନୂଆପଡା ସଦର ମହକୁମାକୁ ସଂଯୋଗ କରୁଛି। ପ୍ରତିଦିନ ଶତାଧିକ ଲୋକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଧରମବନ୍ଧା ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ଜିଲା ମୁଖ୍ୟାଳୟ ଯାଉଛନ୍ତି। ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ଏହି ରାସ୍ତାରେ ଜିଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ ପଡେ। ହେଲେ ନାଳରେ ପାଣି ଭର୍ତ୍ତି ହେଲେ ଏସବୁ କାର୍ଯ୍ୟ ପାଇଁ ଲୋକେ ହଇରାଣ ହୁଅନ୍ତି। ଅନେକ ଛାତ୍ରୀଛାତ୍ରଙ୍କ ପାଠପଢା ମଧ୍ୟ ବ୍ୟାହତ ହେଉଛି। ଭାଓସିଲ ଗାଁ ସୁନାବେଡା ଅଭୟାରଣ୍ୟ ଭିତରେ ରହିଥିବାରୁ ଏହି ସମସ୍ୟା କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଗୋଚର ହେଉନାହିଁ। ଗାଁ ଠାରୁ କୋମନା ବ୍ଲକ ସଦର ମହକୁମା ଶହେ କିଲୋମିଟର ଦୂର ହେଉଥିବାରୁ କୌଣସି ସମସ୍ୟା ହେଲେ ଗ୍ରାମବାସୀ ଜିଲା ସଦର ମହକୁମାକୁ ଯାଇ ଅଭିଯୋଗ କରିଥାନ୍ତି। ଗାଁ ରାସ୍ତା ଓ ନାଳରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟା ସାମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ନୂଆପଡା ସଦର ବିଡିଓ ରୋହିତ ଭୋଇଙ୍କୁ ପଚାରିବାରୁ ସେହି ଅଞ୍ଚଳ ସୁନାବେଡା ଅଭୟାରଣ୍ୟ ଭିତରେ ଯାଉଥିବାରୁ ବ୍ଲକ ପ୍ରଶାସନର କୌଣସି କାର୍ଯ୍ୟ ନାହିଁ। ବନ୍ୟପ୍ରାଣୀ ଓ ବନ ବିଭାଗ ଚାହିଁଲେ ସବୁ କରିପାରିବେ ବୋଲି କହିଛନ୍ତି।