ବ୍ଲାକ୍‌ଆଉଟ୍‌ ବେଳେ ପାକିସ୍ତାନ ସହ ସମ୍ପର୍କରେ ଥିଲେ ଜ୍ୟୋତି

ଚଣ୍ଡିଗଡ଼,୨୦ା୫: ପାକିସ୍ତାନ ପାଇଁ ଗୁପ୍ତଚରଗିରି କରିବା ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ଅନ୍ୟ ୩ ଜଣ ସେମାନଙ୍କ ପାକ୍‌ ପରିଚାଳକମାନଙ୍କ ସହ ନିୟମିତ ଯୋଗସୂତ୍ରରେ ଥିଲେ। ଏପରିକି ନିକଟରେ ଭାରତ, ପାକିସ୍ତାନ ଲଢ଼େଇ ଉତ୍ତର ଭାରତରେ ବ୍ଲାକ୍‌ଆଉଟ୍‌ କରାଯିବା ସମୟରେ ମଧ୍ୟ ସେମାନେ ପାକିସ୍ତାନର ଗୋଇନ୍ଦା ଅଧିକାରୀଙ୍କ ସହ ସମ୍ପର୍କରେ ରହିଥିଲେ ବୋଲି ସୁରକ୍ଷା ସଂସ୍ଥା ଦାବି କରିଛି।
ସିନ୍ଦୂରର ଦିନକ ପୂର୍ବରୁ ମେ’ ୬ରେ ଜ୍ୟୋତି ନୂଆଦିଲ୍ଲୀ ଯାଇ ପାକ୍‌ ଦୂତାବାସ ଅଧିକାରୀ ଡାନିସ୍‌ ଓ ଅନ୍ୟମାନଙ୍କୁ ଭେଟିଥିଲେ। ଅନ୍ୟମାନେ ମଧ୍ୟ ଅନୁରୂପ ଭାବେ ଯୋଗାଯୋଗରେ ଥିଲେ। ଗୁପ୍ତଚର ବୃତ୍ତି ଅଭିଯୋଗରେ ଗତ ୧୩ ତାରିଖରୁ ବର୍ତ୍ତମାନ ସୁଦ୍ଧା ହରିୟାଣା ପୋଲିସ ଉତ୍ତରପ୍ରଦେଶର ପାନିପତ୍‌ରୁ ନୌମାନ ଇଲାହି ନାମକ ଜଣେ ଗାର୍ଡ, କୈଥାଲର ଦେବେନ୍ଦର ସିଂ ଧିଲେଁା ଏବଂ ନୁହର ଅର୍ମାନଙ୍କ ସମେତ ହିସାରରୁ ଜ୍ୟୋତିଙ୍କୁ ଗିରଫ କରିଛି। ବିଭିନ୍ନ ସୁରକ୍ଷା ସଂସ୍ଥା ସେମାନଙ୍କୁ ଜେରା କରୁଛି। ଏମାନେ ସମସ୍ତେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ପାଇଁ ଗୁପ୍ତଚରଗିରି କରୁଥିଲେ ଏବଂ ଭାରତର ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥଳର ସମ୍ବେଦନଶୀଳ ତଥ୍ୟ ପାକିସ୍ତାନ ପଠାଇଥିଲେ।
ଜ୍ୟୋତିଙ୍କ ବିରୋଧରେ ତଦନ୍ତ ଜାରି ରହିଥିବାବେଳେ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ବ୍ଲକ୍‌ କରାଯାଇଛି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜ୍ୟୋତି ଅନେକ ଥର ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନକୁ ଯାଇଥିଲେ। ଆତଙ୍କବାଦ ଲିଙ୍କ୍‌କୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ତାଙ୍କୁ ଖୁବ୍‌ଶୀଘ୍ର ଜେରା କରିବ ବୋଲି ଆଶା କରାଯାଉଛି।