କାହା ଚାପରେ ଚୁପ୍‌ ଜୁନାଗଡ଼ ପୋଲିସ-ଶିକ୍ଷା ବିଭାଗ, ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଭବାନୀପାଟଣା, ୧୦।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେରଙ୍କ ସ୍ତ୍ରୀ ସୁମିତ୍ରା ମେହେର ତାଙ୍କ ସ୍ବାମୀଙ୍କୁ ମିଥ୍ୟା ଅଭିଯୋଗରେ ଫସାଯାଇଥିବା ନେଇ ଜୁନାଗଡ଼ ଥାନାରେ ଗତ ୩ ତାରିଖ ଏକ ଏତଲା ଦେଇଥିଲେ।  ଏତଲାରେ ସେ ସ୍କୁଲର ୩ ଜଣ ସହକାରୀ ଶିକ୍ଷକ ଯିଶୁ ଗୋପାଳ, ସାମନ୍ତ ମେହେର ଓ ଓମ ମେହେର ମିଶି ସ୍କୁଲର ଛୋଟ ଛୋଟ ଝିଅମାନଙ୍କ ମାଧ୍ୟମରେ ଉପରୋକ୍ତ ମିଥ୍ୟା ଅଭିଯୋଗ ଆଣି ତାଙ୍କ ସ୍ବାମୀଙ୍କୁ ଫସାଇଥିବା ଦର୍ଶାଇଥିଲେ । ସୁମିତ୍ରାଙ୍କ ଅଭିଯୋଗ ପରେ ଜୁନାଗଡ଼ ପୋଲିସ ଉପରୋକ୍ତ ୩ ଶିକ୍ଷକ ସମେତ ସମୁଦାୟ ୬ ଜଣଙ୍କ ନାମରେ ଏକ ମାମଳା ନଂ (୫୮୦/୨୫ ) ରୁଜୁ କରିଥିଲା। ହେଲେ ଇତିମଧ୍ୟରେ ଏହି ଘଟଣାର ସପ୍ତାହ ବିତିଯାଇଥିଲେ ମଧ୍ୟ ଉପରୋକ୍ତ ଶିକ୍ଷକଙ୍କ ଉପରେ ପୋଲିସ କି ଶିକ୍ଷା ବିଭାଗ କାର୍ଯ୍ୟନୁଷ୍ଠାନ ନ ନେବାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। କେବଳ ତଦନ୍ତ ଚାଲିଛି କହି ପୋଲିସ ଓ ଶିକ୍ଷା ବିଭାଗ ନିଜ ଦୋଷ ଖସାଉଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନଶିକ୍ଷକଙ୍କ ନାମରେ ଅଭିଯୋଗ ହେବା ପରେ ୨୪ ଘଣ୍ଟା ମଧ୍ୟରେ ତତ୍ପରତା ଦେଖାଇ ପୋଲିସ ତାଙ୍କୁ ଗିରଫ କରିଥିବାବେଳେ ଶିକ୍ଷା ବିଭାଗ ନିଲମ୍ବିତ କରିଥିଲା। ହେଲେ ପ୍ରଧାନ ଶିକ୍ଷକଙ୍କ ସ୍ତ୍ରୀ ଏତଲା ଦେବାର ସପ୍ତାହ ପରେ ବି ଉଭୟ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ତେବେ କାହା ଚାପରେ ଜୁନାଗଡ଼ ପୋଲିସ ଓ ଶିକ୍ଷା ବିଭାଗ ଚୂପ୍‌ ରହି ଉପରୋକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ମଣୁ ନାହାନ୍ତି ତାହାକୁ ନେଇଁ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହକାରୀ ଶିକ୍ଷକ ଯିଶୁ ଗୋପାଳଙ୍କ ଉପରେ ଜୁନାଗଡ଼ର ଏକ ଆତ୍ମଘୋଷିତ ବରିଷ୍ଠ ସାମାଜିକ କର୍ମୀଙ୍କ ହାତ ରହିଥିବାରୁ ଉଭୟ ପୋଲିସ ଓ ଶିକ୍ଷା ବିଭାଗ ଏହି ଘଟଣାରେ କାର୍ଯ୍ୟନୁଷ୍ଠାନ ନେଉ ନ ଥିବା ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ଉଭୟ ପୋଲିସ ଓ ଶିକ୍ଷା ବିଭାଗ ଅଧିକାରୀଙ୍କ ଫୋନ କଲ ଯାଞ୍ଚ କରାଗଲେ ପ୍ରକୁତ ରହସ୍ୟ  ସାମ୍ନାକୁ ଆସନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି। କଳାହାଣ୍ଡି ଜିଲାପାଳ ତଥା ଏସପି ଏହି ଘଟଣାର ତଦନ୍ତ କରି ବାକୁ  ଦାବି ହେଉଛି।

Share