ପିଲିଭିଟ୍,୩୧ା୫:ଉତ୍ତରପ୍ରଦେଶର ବିସାଲପୁର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍), ବାରଖେଡ଼ା ନଗର ପଞ୍ଚାୟତ ଅଧ୍ୟକ୍ଷ ଏବଂ ଜଣେ ଠିକାଦାରଙ୍କ ଉତ୍ପୀଡ଼ନରେ ଅତିଷ୍ଠ ହୋଇ ଜଣେ ସ୍ଥାନୀୟ ଖବରଦାତା ଓ ତାଙ୍କ ସ୍ତ୍ରୀ କ୍ୟାମେରା ସମ୍ମୁଖରେ ବିଷ ପିଇଛନ୍ତି। ସୋସିଆଲ ମିଡିଆରେ ଉକ୍ତ ଭିଡିଓ ପୋଷ୍ଟ କରି ଖବରଦାତା ଇସ୍ରାର ଅଭିଯୋଗ କରିଛନ୍ତି, ଏସ୍ଡିଏମ୍ ନାଗେନ୍ଦ୍ର ପାଣ୍ଡେ, ନଗର ପଞ୍ଚାୟତ ଅଧ୍ୟକ୍ଷ ଶ୍ୟାମବିହାରୀ ଭୋଜଓବାଲ ଏବଂ ଠିକାଦାର ମୋଇନ ହୁସେନ୍ ହଇରାଣ କରୁଥିବାରୁ ସେମାନେ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ। ସେମାନଙ୍କୁ ତୁରନ୍ତ ଜିଲା ହସ୍ପିଟାଲକୁ ନିଆଯାଇଥିଲା। ଇସ୍ରାର ବିପଦମୁକ୍ତ ଥିବାବେଳେ ତାଙ୍କ ସ୍ତ୍ରୀ ଗୁରୁତର ରହିଥିବା ଜଣେ ଅଧିକାରୀ କହିଛନ୍ତି। ଅଭିଯୋଗ ଅନୁଯାୟୀ, ବରଖେଡ଼ା ନଗର ପଞ୍ଚାୟତର ଦୁର୍ନୀତି ସମ୍ପର୍କରେ ଇସ୍ରାର ଖବର ପ୍ରକାଶ କରିବାରୁ ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦୃଷ୍ଟିକୁ ଆସିଥିଲା। ଏହା ପରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଯାଇଥିଲା ବୋଲି ଇସ୍ରାର କହିଛନ୍ତି। ହୁସେନ୍ ଭୋଜଓ୍ବାଲ ଓ ପାଣ୍ଡେ କ୍ରମାଗତ ଭାବେ ତାଙ୍କ ପରିବାରକୁ ଧମକଦେବା ସହ ମିଛ ମାମଲା ଲଗାଇଥିଲେ। ବିଷ ପିଇ ଆମେ ଜୀବନ ଦେବାକୁ ଯାଉଛୁ, ଯୋଗୀଜୀ ଆମକୁ ନ୍ୟାୟ ଦରକାର ବୋଲି ଇସ୍ରାର ଭିଡିଓରେ କହିଥିଲେ।