ଅଧିନାୟକ ଭାବେ ଜସ୍‌ ବଟଲରଙ୍କ ବିଦାୟ ରହିଲା ନୀରସ

କରାଚି,୧।୩: ରାସି ଭାନ ଡେର ଡୁସେନ ଏବଂ ହେନରିଚ କ୍ଲାସେନଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏହି ୧୧ତମ ମ୍ୟାଚ କରାଚିର ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିଲା। ଏହା ଜସ ବଟଲରଙ୍କ ଅଧିନାୟକ ଭାବରେ ଶେଷ ମ୍ୟାଚ ଥିଲା। ତଥାପି, ସେ ତାଙ୍କ ଦଳକୁ ବିଜୟ ଆଡ଼କୁ ନେଇପାରିଲେ ନାହିଁ। ଏହା ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡର ତୃତୀୟ ପରାଜୟ। ଇଂଲଣ୍ଡ ଦଳ ସେମିଫାଇନାଲ ଦୌଡ଼ରୁ ପୂର୍ବରୁ ବାହାର ହୋଇସାରିଥିଲା।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୩୮.୨ ଓଭରରେ ୧୭୯ ରନ କରି ଅଲଆଉଟ ହୋଇଯାଇଥିଲା। ଜୋ ରୁଟ ସର୍ବାଧିକ ୩୭ ରନର ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଓପନର ବେନ ଡକେଟ ୨୧ ବଲରୁ ୨୪ ରନ କରିଥିଲେ। ଅଧିନାୟକ ଭାବରେ ତାଙ୍କର ଶେଷ ମ୍ୟାଚ ଖେଳୁଥିବା ଜସ ବଟଲର୍‌ ବ୍ୟାଟ ସହିତ ଭଲ ପ୍ରଦର୍ଶନ କରିପାରି ନଥିଲେ। ସେ ୪୩ଟି ବଲର ସମ୍ମୁଖୀନ ହୋଇ ୨୧ରନ କରିଥିଲେ। ତଳ କ୍ରମରେ, ଜୋଫ୍ରା ଆର୍ଚର ୨୫ରନ କରି ଦଳକୁ ୧୫୦ ଅତିକ୍ରମ କରାଇଥିଲେ।