ବୁଗୁଡା,୨୪ା୭(କାଳିଚରଣ ଦାଶ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ କରାଯାଇ ପ୍ରଚୁର ପରିମାଣର ପୋଚ ଓ ଦେଶୀମଦ ସହ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛିି। ପ୍ରକାଶ ଯେ, ବୁଗୁଡ଼ା ଅଞ୍ଚଳରେ ବ୍ୟାପକ ଭାବେ ଚୋରା ମଦ କାରବାର ଚାଲୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ସକାଳେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ବୁଗୁଡ଼ା ବ୍ଲକ୍ କରଚୁଲି ପଞ୍ଚାୟତ ଅନ୍ତର୍ଗତ ଖଦାଳପଲ୍ଲୀ, ମହୁଲପଲ୍ଲୀ ଓ ସମଲେଇ ଆଦି ଗ୍ରାମର ଆଖପାଖ ଜଙ୍ଗଲ ଅଞ୍ଚଳରେ ଚଢାଉ କରାଯାଇ ୫ହଜାର ଲିଟର ପୋଚ ଓ ୨ ଶହ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଏନେଇ ଅବକାରୀ ଥାନାରେ କେଶ୍ ନଂ. ୫୭/୨୫ରେ ମାମଲା ରୁଜୁ ହୋଇଥିବା ବେଳେ କାହାକୁ ଗିରଫ କରାଯାଇ ନାହିଁ। ଉକ୍ତ ଚଢାଉ କାର୍ଯ୍ୟରେ ତହସିଲଦାର ତାପସ ରାଉତଙ୍କ ଉପସ୍ଥିତିରେ ଅବକାରୀ ଡିଏସପି ସ୍ବାଧୀନ ସାହୁଙ୍କ ତତ୍ତ୍ୱାବଧାନରେ ଭଞ୍ଜନଗର ଇନିସପେକ୍ଟର ଡମ୍ବରୁଧର ହରିଜନ, ମୋବାଇଲ ଇନିସପେକ୍ଟର ଅଂଶୁମାନ ଜେନା, ବୁଗୁଡା ଅବକାରୀ ଥାନାଧିକାରୀ ଜ୍ୟୋତି ରଞ୍ଜନ ସେନାପତି ଓ ପୋଲିସ ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ସମେତ ଅବକାରୀ ଓ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।