ମିଳିତ ଜନ ଅଭିଯୋଗ ଶୁଣାଣି : ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲାପାଳ ଆଦିତ୍ୟ ଗୋୟଲ, ଏସପି ପ୍ରହଲ୍ଲାଦ ସହାୟ ମୀନା ଉପସ୍ଥିତ ଥିଲେ। ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ପଦ୍ମପୁର ଉପ ଜିଲାପାଳ ସ୍ନେହା ଅରୁଗୁଲା, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କୁବେର ମହନ୍ତ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପାଣ୍ଡବ ଶବର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ ବିଶ୍ବାଳ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍‌ ଯୋଗାଣ, ପାନୀୟ ଜଳ ଯୋଗାଣ, ରାଶନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଅଧାରିତ ସମୁଦାୟ ୫୦ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୩୫ ଗୋଟି ବ୍ୟକ୍ତିଗତ, ୧୫ ଗୋଟି ସାମୁହିକ ଅଭିଯୋଗ ଥିଲା । ସମସ୍ତ ସମସ୍ୟାଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Dharitri – Odisha’s No.1 Odia Daily

Share
Tags: odisha