ନୂଆଦିଲ୍ଲୀ,୨୫ା୬: ଇଂଲଣ୍ଡ ଭାରତ ବିପକ୍ଷରେ ଜୁଲାଇ ୨ରୁ ବାର୍ମିଂହାମରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏକ୍ସପ୍ରେସ ବୋଲର ଜୋଫ୍ରା ଆର୍ଚର ଚାରି ବର୍ଷ ପରେ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଲିଡସରେ ପ୍ରଥମ ଟେଷ୍ଟରେ ଜିତିଥିବା ଇଂଲଣ୍ଡ ଦଳରେ ଅନ୍ୟ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସାମ କୁକ ଓ ଜାକବ ବେଥେଲ ପ୍ରଥମ ଟେଷ୍ଟର ମଝିରେ କାଉଣ୍ଟି କ୍ରିକେଟ ଖେଳିବାକୁ ମୁକ୍ତ ହୋଇଥିବା ପରେ ଦଳକୁ ଫେରିଛନ୍ତି।
ଇଂଲଣ୍ଡର ଦ୍ୱିତୀୟ ଟେଷ୍ଟ ଦଳ:
ବେନ ଷ୍ଟୋକ୍ସ (ଅଧିନାୟକ), ଜୋଫ୍ରା ଆର୍ଚର, ଶୋଏବ ବଶୀର, ଜାକବ ବେଥେଲ, ହ୍ୟାରୀ ବ୍ରୁକ, ବ୍ରାଇଡନ କାର୍ସ, ସାମ କୁକ, ଜାକ କ୍ରଲେ, ବେନ ଡକେଟ, ଜେମୀ ଓଭରଟନ, ଓଲି ପୋପ, ଜୋ ରୁଟ, ଜେମୀ ସ୍ମିଥ (ଉଇକେଟକିପର), ଜୋଶ ଟଙ୍ଗ, କ୍ରିସ ୱୋକ୍ସ।
ଆର୍ଚର ଚଳିତ ସପ୍ତାହ ଆରମ୍ଭରେ ଚେଷ୍ଟର ଲେ ଷ୍ଟ୍ରିଟରେ ସସେକ୍ସ ପାଇଁ ଡରହାମ ବିପକ୍ଷରେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ରେଡ-ବଲ ଫର୍ମାଟ ପାଇଁ ନିଜର ମ୍ୟାଚ ଫିଟନେସ ପ୍ରମାଣ କରିଛନ୍ତି। ସେ କାଉଣ୍ଟି ମ୍ୟାଚରେ ୧୮ ଓଭର ବୋଲିଂ କରି ଗୋଟିଏ ୱିକେଟ ହାସଲ କରିଥିଲେ।
୩୦ ବର୍ଷୀୟ ଆର୍ଚର ରେଡ-ବଲ କ୍ରିକେଟର ଶାରୀରିକ ଚାପକୁ ପୁଣି ସହ୍ୟ କରିବା ପାଇଁ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଏବେ ଏକ ଭିନ୍ନ ଚ୍ୟାଲେଞ୍ଜ ଅଛି, କାରଣ ମୁଁ ଜାଣିଛି ମୋ ଶରୀର ଏହାକୁ ସହ୍ୟ କରିପାରିବ। ଖେଳର ମାନସିକ ଦିଗ କଠିନ ହେବ। ଆଗାମୀ କିଛି ଦିନରେ ମୁଁ ଏହା ସହିତ ଲଢ଼ିବାକୁ ପଡ଼ିବ, କିନ୍ତୁ ସବୁ ଠିକ୍ ଅଛି। ଏହା ଏକ ନୂଆ ଚ୍ୟାଲେଞ୍ଜ, ଆଉ ମୁଁ ଆଗକୁ ବଢ଼ି ଚାଲିବି।”
ଆର୍ଚର ଶେଷ ଥର ପାଇଁ ୨୦୨୧ ଫେବୃଆରୀରେ ଅହମଦାବାଦରେ ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲେ। ସେ ମୋଟ ୧୩ଟି ଟେଷ୍ଟ ଖେଳି ୪୨ଟି ୱିକେଟ ହାସଲ କରିଛନ୍ତି।