Categories: Home Leftଖେଳ

ଶତକ ସହ ରୁଟ୍‌ଙ୍କ ବିଶ୍ୱ ରେକର୍ଡ

ବାରବାଡସ,୧୮।୩: ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଗୁରୁବାର ଏକ ବଡ଼ ବିଶ୍ୱ ରେକର୍ଡ ଅଧିକାରୀ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ତାଙ୍କର ଶତକୀୟ ପାଳି ଯୋଗୁ ଇଂଲଣ୍ଡ ୯ ଉଇକେଟ କ୍ଷତିରେ ୫୦୭ ରନ୍‌ କରିବା ପରେ ଇନିଂସ ଘୋଷଣା କରିଛି।

ରୁଟ୍‌ ପ୍ରଥମ ଇନିଂସରେ ୩୧୬ ବଲର ସମ୍ମୁଖୀନ ହୋଇ ୧୫୩ ରନ୍‌ କରିଥିଲେ। ତାଙ୍କର ଏହି ପାଳିରେ ସାମିଲ ଥିଲା ୧୪ ଚୌକା। ଏହାକୁ ମିଶାଇ ସେ ଟେଷ୍ଟ କ୍ୟାରିୟରରେ ୧୨ ଥର ୧୫୦ ରନ୍‌ ଅତିକ୍ରମ କରିଛନ୍ତି। ଏହି ଧାରାରେ ସେ ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଲିଷ୍ଟର କୁକ୍‌ଙ୍କୁ ପଛରେ ପକାଇଛନ୍ତି। ଏଥିସହିତ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଥର ୧୫୦ ରନ୍‌ରୁ ଊର୍ଦ୍ଧ୍ୱ ସ୍କୋର କରିବାରେ ଭାରତର ବିରାଟ କୋହଲିଙ୍କୁ ମଧ୍ୟ ଅତିକ୍ରମ କରିଛନ୍ତି ରୁଟ୍‌।

ଟେଷ୍ଟ କ୍ୟାପଟେନ ଭାବେ ସେ ୭ ଥର ୧୫୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି। ସେ ଏବେ ବ୍ରାଏନ ଲାରା, ମାଇକେଲ କ୍ଲାର୍କ, ମହେଳା ଜୟବର୍ଦ୍ଦନେ ଏବଂ ଗ୍ରେମ ସ୍ମିଥଙ୍କ ସହ ମିଳିତ ଭାବେ ତୃତୀୟ ସ୍ଥାନରେ ଅଛନ୍ତି। କ୍ୟାପଟେନ ଭାବେ ୮ ଥର ୧୫୦ରୁ ଊର୍ଦ୍ଧ୍ୱ ରନ୍‌ କରିଥିବା ବ୍ୟାଟରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ଡନ ବ୍ରାଡମ୍ୟାନ। ଶୀର୍ଷରେ ଅଛନ୍ତି କୋହଲି। ସେ ଟେଷ୍ଟ କ୍ୟାପଟେନ ଭାବେ ସର୍ବାଧିକ ୯ ଥର ୧୫୦ରୁ ଊର୍ଦ୍ଧ୍ୱ ସ୍କୋର କରିଥିଲେ।