Categories: Home Leftଖେଳ

ଦ୍ୱିତୀୟ ସନ୍ତାନର ବାପା ହେଲେ ରୁଟ୍‌

ଲଣ୍ଡନ, ୮।୭- ଇଂଲଣ୍ଡ କ୍ରିକେଟ୍‌ ଦଳର ନିୟମିତ ଅଧିନାୟକ ଜୋ ରୁଟ୍‌ ଦ୍ୱିତୀୟ ଥର ଲାଗି ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ କାରି କୋଟ୍ରେଲ ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି। ପୂର୍ବରୁ ରୁଟ୍‌ ୨୦୧୭ରେ ପ୍ରଥମ ଥର ଲାଗି ପିତୃତ୍ୱ ଲାଭ କରିଥିଲେ। ତାଙ୍କର ଆଲଫ୍ରଡ୍‌ ଓ୍ବିଲିୟମ ରୁଟ୍‌ ନାମକ ୩ ବର୍ଷର ପୁତ୍ର ସନ୍ତାନ ରହିଛି। ନବଜାତ ସନ୍ତାନକୁ କୋଳରେ ଧରି ପ୍ରଥମ ପୁଅ ଆଲ୍‌ଫ୍ରଡ୍‌ ସହ ଉଠାଇଥିବା ଏକ ଫଟୋକୁ ରୁଟ୍‌ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଫଟୋ ତଳେ କ୍ୟାପସନ ଲେଖି ରୁଟ୍‌ ଉଲ୍ଳେଖ କରିଛନ୍ତି, ’ଇଂଲଣ୍ଡ ଟିମ୍‌ ଆମେ ତୁମକୁ ସବୁକ୍ଷେତ୍ରରେ ଦେଖୁଛୁ ଏବଂ ସମର୍ଥନ କରୁଛୁ।’ ଏଠାରେ ଉଲ୍ଲେଖଯୋଗ୍ୟ, ବୁଧବାରଠାରୁ ଇଂଲଣ୍ଡ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବହୁପ୍ରତୀକ୍ଷିତ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। କରୋନା ଲାଗି ଅନ୍ତର୍ଜାତୀୟ କ୍ରିକେଟ ସମ୍ପୂର୍ଣ୍ଣ ଭାବେ ୪ ମାସ ପାଖାପାଖି ବନ୍ଦ ହୋଇ ରହିଥିଲା। ତେଣୁ ଏହି ସିରିଜ ଉପରେ ଏବେ ପୁରା ବିଶ୍ୱର ନଜର। କିନ୍ତୁ ରୁଟ୍‌ ବର୍ତ୍ତମାନ ଆଇସୋଲେଶନରେ ରହିଥିବାରୁ ତାଙ୍କ ଅନୁପସ୍ଥିତିରେ ବେନ୍‌ ଷ୍ଟୋକ୍ସ ଘରୋଇ ଇଂଲଣ୍ଡ ଦଳର ନେତୃତ୍ୱ ନେଉଛନ୍ତି। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ରୁଟ୍‌ ଦଳ ସହ ଯୋଗ ଦେଇସାରିଥିବେ ବୋଲି ଜଣାପଡ଼ିଛି।