ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ ଧାରଣା ଦିଆଯାଇଛି। ଜେଏମ୍‌ଏମ୍‌ ଜିଲା ସଭାପତି କୃଷ୍ଣଚନ୍ଦ୍ର ଦାସଙ୍କ ନେତୃତ୍ୱରେ କର୍ମୀମାନେ ଶାନ୍ତିପୂର୍ଣ ଭାବେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।
ଉକ୍ତ ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ଓ଼ ଏକ୍ସରେ ମେଶିନ ସ୍ଥାପନ ଏବଂ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ନେଇ ଜେଏମ୍‌ଏମ୍‌ ପକ୍ଷରୁ ପୂର୍ବରୁ ଏକ ଦିନିଆ ଧାରଣା ଦିଆଯିବା ସହିତ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ତେବେ ଉକ୍ତ ଦାବିଗୁଡ଼ିକ ପୂରଣ ହୋଇ ନ ଥିବାରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ପୁଣି ଧାରଣା ଦିଆଯାଇଛି। ଏହା ମୋରଡ଼ା ବ୍ଲକର ଏକ ପ୍ରମୁଖ ଡାକ୍ତରଖାନା ହୋଇଥିବା ବେଳେ ୧ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହା ଉପରେ ନିର୍ଭର କରନ୍ତି। ପୂର୍ବରୁ ଦୈନିକ ଶତାଧିକ ରୋଗୀ ଏଠାକୁ ଆସୁଥିବା ବେଳେ ବିଭିନ୍ନ ଅବ୍ୟବସ୍ଥା ହେତୁ ବର୍ତ୍ତମାନ ଉକ୍ତ ଡାକ୍ତରଖାନାକୁ ଲୋକେ ଆସିବାକୁ କୁଣ୍ଠାବୋଧ କରୁଛନ୍ତି। ବର୍ତ୍ତମାନ ଉକ୍ତ ଡାକ୍ତରଖାନା ଉପରେ ସରକାରଙ୍କ ନଜର ଲାଗିଛି। ଛୁଟି ଏବଂ ତାଲିମ ସଂରକ୍ଷିତ ଚିକିତ୍ସା ଅଧିକାରୀ(ଏଲ୍‌ଟିଆର୍‌ଏମ୍‌ଓ଼) ପଦବୀ ୧୫ ଥିବା ବେଳେ ୧୦ଟି ଫାଙ୍କା ଅଛି ଏବଂ ୪ଟି ସ୍ପେଶାଲିଷ୍ଟ ପଦବୀରୁ ୩ଟି ଫାଙ୍କା ଅଛି। ବାରମ୍ବାର ପଦବୀ ପୂରଣ ନେଇ ଦାବିପତ୍ର ଦିଆଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଜେଏମ୍‌ଏମ୍‌ ଜିଲା ସଭାପତି ଦାସ କହିଛନ୍ତି। ସଭାପତି ଦାସଙ୍କ ସହିତ ଅମୀର ଖାନ, ପପୁ ଦାସ, ସିପୁ ମୁଦୁଲି, ତ୍ରିନାଥ ବେହେରା, ସାଙ୍ଗଠନିକ ସମ୍ପାଦକ ରାଧାଶ୍ୟାମ ପାତ୍ର, ରଣଜିତ ସିଂ, ବ୍ଲକ ଉପସଭାପତି ଶ୍ରବଣ ମହାନ୍ତ,ବାଘରାୟ ଟୁଡୁ ପ୍ରମୁଖ ଧାରଣାରେ ବସିଛନ୍ତି।
Dharitri – Odisha’s No.1 Odia Daily

Share