ଖୋଲିଲା ଜିଓ-ବିପିର ପ୍ରଥମ ପେଟ୍ରୋଲ ପମ୍ପ, ଗ୍ରାହକଙ୍କୁ ମିଳିବ ଏଭଳି ସୁବିଧା

ମୁମ୍ବାଇ,୨୬।୧୦: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଶକ୍ତି କ୍ଷେତ୍ରରେ ଅଭିଜ୍ଞ ‘ବିପି’ ପ୍ରଥମ ପେଟ୍ରୋଲ ପମ୍ପ ଖୋଲିଛନ୍ତିି। ଏହି ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ପାଇଁ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେଶନ ସହିତ ବିଭିନ୍ନ ଇନ୍ଧନ ବିକଳ୍ପ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ମୁମ୍ବାଇର ନାଭେଡରେ ରିଲାଏନ୍ସ ବିପି ମୋବିଲିଟି ଲିମିଟେଡ (ଆରବିଏମଏଲ) ର ଏହି ପେଟ୍ରୋଲ ପମ୍ପ ଖୋଲାଯାଇଛି। ମହାମାରୀ ଦ୍ୱାରା ପ୍ରଭାବିତ ଏହି ଚ୍ୟାଲେଞ୍ଜିଂ ପରିବେଶରେ ଜିଓ-ବିପି ବିଶ୍ୱସ୍ତରୀୟ ମୋବିଲିଟି ଷ୍ଟେଶନର ଏକ ନେଟୱାର୍କ ଆରମ୍ଭ କରୁଛି ବୋଲି ବିବୃତ୍ତିରେ କୁହାଯାଇଛି। ଏହି ଷ୍ଟେସନଗୁଡ଼ିକରେ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ଇନ୍ଧନ ବିକଳ୍ପ ଉପଲବ୍ଧ ହେବ।
୨୦୧୯ ରେ ବିପି, ରିଲାଏନ୍ସ ମାଲିକାନାରେ ଥିବା ୧୪୦୦ ରୁ ଅଧିକ ପେଟ୍ରୋଲ ପମ୍ପ ଏବଂ ୩୧ଟି ବିମାନ ଇନ୍ଧନ (ଏଟିଏଫ୍‌) ଷ୍ଟେସନରେ ୪୯ ପ୍ରତିଶତ ଅଂଶଧନ ହାସଲ କରିଛି। ମିଳିତ ଉଦ୍ୟୋଗଭାବେ ୨୦୨୫ ସୁଦ୍ଧା ପେଟ୍ରୋଲ ପମ୍ପ ସଂଖ୍ୟାକୁ ୫,୫୦୦ରେ ପହଞ୍ଚାଇବାକୁ ଯୋଜନା ରହିିଛି।
ଭାରତର ଇନ୍ଧନ ଏବଂ ପରିବହନ ବଜାର ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏଣୁ ବିଦ୍ୟମାନ ଥିବା ୧୪୦୦ ପେଟ୍ରୋଲ ପମ୍ପର ନେଟୱାର୍କକୁ ଜିଓ-ବିପି ଭାବରେ ବ୍ରାଣ୍ଡ କରାଯିବ। ଆଗାମୀ ୨୦ ବର୍ଷରେ, ଏହା ବିଶ୍ୱର ଦ୍ରୁତ ଗତିରେ ବଢ଼ୁଥିବା ଇନ୍ଧନ ବଜାର ମଧ୍ୟରୁ ଗୋଟିଏ ହେବ ବୋଲି ବିବୃତ୍ତିରେ କୁହାଯାଇଛି।