ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ସକାଳେ ଦୋକାନୀ ମାଲିକ ପହଞ୍ଚିଲା ପରେ…

ଲୋଇସିଂହା, ୧୮।୧୨( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଜେଶ୍ମିନ ଅଳଙ୍କାର ଦୋକାନରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ ୱାସିମ ଖାନ ଲୋଇସିଂହା ଥାନରେ ଅଭିଯୋଗ କରିଛନ୍ତି। ଗୁରୁବାର ସକାଳେ ଦୋକାନ ମାଲିକ ଦୋକାନ ଖୋଲିଯିବାବେଳେ ସଟର ତଡ଼ା ହୋଇଥିବା ଦେଖି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ପ୍ରାୟ ୪୨ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ନେଇ ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅଢ଼େଇ ଗ୍ରାମର ସୁନା ଅଳଙ୍କାର ଓ ୨୦ କେଜିର ରୂପା ଅଳଙ୍କାର ରହିଛି। ରାତି ପ୍ରାୟ ୧ଟା ୫୦ରୁ ୨ ଟା ୧୦ ମିନିଟ ମଧ୍ୟରେ ୨ ଜଣ ଚୋର ଦୋକାନ ସଟର ତାଡ଼ି ଦୋକାନ ଭିତରୁ ପଶି ନେଇଯାଇଥିବା ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଲୋଇସିଂହା ଥାନା ଠାରୁ ମାତ୍ର ଶହେ ମିଟର ଏବଂ ବଲାଙ୍ଗୀର ବରଗଡ଼ ୨୬ ନଂ ରାଜପଥ କଡରେ ଥିବା ଦୋକାନରୁ ବର୍ଷକ ମଧ୍ୟରେ ୨ଥର ଚୋରି ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଅପରପକ୍ଷେ ପୋଲିସ ପକ୍ଷରୁ ରାତି ବେଳା ପାଟ୍ରୋଲିଂ ହେଉନଥିବାରୁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି। ଅଭିଯୋଗ ପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

 

Dharitri – The Largest & Most Trusted Odia Daily