ଦିଗପହଣ୍ଡି,୨୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୁକୁଡ଼ାଖଣ୍ଡି ବ୍ଲକ ଅଧୀନ ମା ’ ମହୁରୀ କାଳୁଆଙ୍କ ମନ୍ଦିର ଗର୍ଭଗୃହରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ରୁପା କିରଟି, ଫୁଲକଣା, ନୋଥ, ୨ଟି ସୁନା ପିସ୍ତୁଳି ଓ କିଛି ପୂଜା ସାମଗ୍ରୀ ଲୁଟି ନେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ମନ୍ଦିରର ପୂଜକ ଦେବେନ୍ଦ୍ର ଡାକୁଆ ରାତ୍ରୀକାଳୀନ ସେବା ପୂଜା ପହଡ଼ ନିତିକାନ୍ତି ସାରି ରାତି ପ୍ରାୟ ୧୨ଟାରେ ମନ୍ଦିର କବାଟ ବନ୍ଦ କରି ଘରକୁ ଯାଇଥିଲେ। ବୁଧବାର ଭୋର ସମୟରେ ସେ ସକାଳ ପୂଜା ପାଇଁ ମନ୍ଦିରକୁ ଯାଇଥିବାବେଳେ ମା’ଙ୍କ ପ୍ରତିମୂର୍ତ୍ତିରୁ ସମସ୍ତ ଅଳଙ୍କାର ଓ କିଛି ପୂଜା ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ସେ ଏନେଇ ମନ୍ଦିର ପରିଚାଳନା କମିଟି ସମ୍ପାଦକ ନିରଞ୍ଜନ ମହାନ୍ତି, ଅନନ୍ତେଇ ପଞ୍ଚାୟତ ସରପଞ୍ଚ ପ୍ରତିନିଧି କାମେଶ୍ୱର ବିଶାଳ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କୁ ଫୋନ କରି ଘଟଣା ଜଣାଇଥିଲେ। ଏନେଇ ଦିଗପହଣ୍ଡି ଥାନାକୁ ଖବର ଦିଆଯିବା ପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରାଯାଇଛି ବୋଲି ସେ କହିଛନ୍ତି। ମନ୍ଦିର ଭଙ୍ଗାଯାଇ ପୁନଃନିର୍ମାଣ କାର୍ଯ୍ୟ ଚାଲୁ ରହିଛି। କିଛି ଦୁର୍ବୃତ୍ତ ପାଚେରୀ ଡେଇଁ ମନ୍ଦିର ଗର୍ଭଗୃହରେ ପଶି ଏହି ଚୋରି କରିଥିବା ଜଣାପଡିଛି।