ଜେମିମାଙ୍କ ଦମ୍‌ଦାର ଶତକ: ଅଷ୍ଟ୍ରେଲିଆକୁ ଧୂଳିଚଟେଇ ବିଶ୍ୱକପ୍‌ ଫାଇନାଲ୍‌ରେ ଭାରତ

ନଭୀ ମୁମ୍ବାଇ,୩୦ା୧୦- ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଫଳରେ ତୃତୀୟଥର ଭାରତ ଦିନିକିଆ ବିଶ୍ୱକପ୍‌ର ଫାଇନାଲ୍‌କୁ ଯାଇଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଫୋଏବେ ଲିଚ୍‌ଫିଲ୍ଡଙ୍କ ବିସ୍ଫୋରକ ଶତକ ବଳରେ ପ୍ରତିପକ୍ଷ ଭାରତ ଆଗରେ ୩୩୯ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଭାରତ ୪୮.୩ ଓଭରରେ ଲକ୍ଷ ହାସଲ କରିଥିଲା। ଭାରତୀୟ ଦଳ ୩୩୯ ରନର ଟାର୍ଗେଟକୁ ପିଛା କରି ଇତିହାସ ରଚିଛି। ଭାରତ ପାଇଁ ଜେମିମା ରୋଡ୍ରିଗେଜ ଏକ ମ୍ୟାଚ ବିଜୟୀ ଇଂନିସ ଖେଲି ଅପରାଜିତ ୧୨୭ ରନ କରିଥିଲେ। ଅଧିନାୟିକା ହରମନପ୍ରୀତ କୌର ମଧ୍ୟ ୮୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଶେଫାଳୀ ବର୍ମା ୧୦ ଓ ସ୍ମୃତି ମନ୍ଧାନା ୨୪ ରନ କରି ଆଉଟ୍‌ ହୋଇଥିଲେ। ନଭେମ୍ବର ୩ରେ ଖେଳାଯିବାକୁ ଥିବା ଫାଇନାଲ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବ।

ବ୍ୟାଟିଂ ଲାଗି ଉପଯୁକ୍ତ ପିଚ୍‌କୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଅଧିନାୟିକା ହିଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ହିଲି ଖୁବ ଶସ୍ତାରେ ଆଉଟ୍‌ ହୋଇଥିଲେ। ଅନ୍ୟତମ ଓପନର ଲିଚ୍‌ଫିଲ୍ଡ ଓ ଏଲିସ ପେରୀ ତୃତୀୟ ଉଇକେଟରେ ୨୨.୧ ଓଭରରେ ଦ୍ରୁତ ୧୫୫ ରନ ଯୋଡ଼ି ଅଷ୍ଟ୍ରେଲିଆ ଦଳକୁ ଦୃଢ଼ ମୂଳଦୁଆ ପ୍ରଦାନ କରିଥିଲେ। ଶତକ ପୂରଣ ପରେ ଆଟାକିଂ ବ୍ୟାଟିଂ କରୁଥିବା ଲିଚଫିଲ୍ଡଙ୍କୁ ପାଭିଲିଅନ ପଠାଇ ଅମନଜୋତ କୌର ଭାରତକୁ ବ୍ରେକଥ୍ରୁ ଆଣି ଦେଇଥିଲେ। ଲିଚ୍‌ଫିଲ୍ଡ ୯୩ ବଲରେ ୧୭ ଚୌକା ଓ ୩ ଛକା ସହିତ ୧୧୯ ରନ କରି ଆଉଟ୍‌ ହୋଇଥିଲେ। ଏହା ତାଙ୍କ କ୍ୟାରିୟରର ତୃତୀୟ ଅର୍ଦ୍ଧଶତକ ଥିଲା। ଏହାପରେ ପେରୀ ଓ ବେଥ ମୁନି ତୃତୀୟ ଉଇକେଟରେ ୪୦ ରନ ଯୋଡ଼ିଥିଲେ। ଏହାପରେ ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଏଲିସ ପେରୀ ୭୭ (୬ ଚୌକା ଓ ୨ ଛକା) ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିବା ବେଳେ ମୁନି ୨୪ (୩ ଚୌକା), ଆନାବେଲ ସଦରଲାଣ୍ଡ ୩, ତାହିଲା ମ୍ୟାଗ୍ରାଥ ୧୨, କିମ ଗାର୍ଥ ୧୭ ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡ଼କୁ ଆଶଲେ ଗାର୍ଡନର ୪୫ ବଲରେ ୪ ଲେଖାଏ ଚୌକା ଓ ଛକା ସହିତ ଦ୍ରୁତ ୬୩ ରନ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ୪୯.୫ ଓଭରରେ ୩୩୮ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଭାରତ ପାଇଁ ଶ୍ରୀ ଚରନୀ ଓ ଦୀପ୍ତି ଶର୍ମା ୨ ଲେଖାଏ ଉଇକେଟ ନେଇଥିବା ବେଳେ କ୍ରାନ୍ତି ଗୌଡ଼, ଅମନଜୋତ କୌର ଓ ରାଧା ଯାଦବ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ଏହି ମ୍ୟାଚ୍‌ ଦେଖିବା ଲାଗି ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନସିଲ (ଆଇସିସି) ମୁଖ୍ୟ ଜୟ ଶାହା ଓ ଅଷ୍ଟ୍ରେଲିଆନ କ୍ରିକେଟର ତଥା ଅଷ୍ଟ୍ରେଲିଆ ମହିଳା ଦଳର ଅଧିନାୟିକା ଆଲିସା ହିଲିଙ୍କ ସ୍ବାମୀ ମିଚେଲ ଷ୍ଟାର୍କ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 

Share