ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ)- ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଜୀଙ୍କ ୮୧ତମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର NSS କାର୍ଯ୍ୟକ୍ରମ ଅଧିକାରୀ ଜୟନ୍ତ କୁମାର ଡନସନାଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ରାଜୀବ ଗାନ୍ଧୀ ସେବା ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମାରୋହରେ ଅତିଥି ଭାବେ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ମଞ୍ଚର ସଭାପତି ସତ୍ୟବ୍ରତ ନାୟକ, ବାଲେଶ୍ୱରର ଏଫ୍ଏମ୍ ବିଶ୍ୱବିଦ୍ୟାଳୟର ପୂର୍ବତନ ଉପ-କୁଳପତି ପ୍ରଫେସର କୁମାରବର ଦାସ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସମ୍ମାନୀତ କରିଥିଲେ।
ପ୍ରକାଶ ଯେ, NSS କାର୍ଯ୍ୟକ୍ରମ ଅଧିକାରୀ ଡନସନା ଛାତ୍ରୀଛାତ୍ର ମାନଙ୍କୁ ସାମାଜିକ, ନୈତିକ, ଶାରୀରିକ ଏବଂ ବୈଷୟିକ ଶିକ୍ଷା ପ୍ରଦାନ କରୁଥିବାରୁ ତାଙ୍କୁ ଏହି ସମ୍ନାନରେ ସମ୍ମାନିତ କରାଯାଇଛି। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।