ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି ଥାନା ପୋଲିସ ଶନିବାର ଗିରଫ କରିଛି l

ମିଳିଥିବା ସୂଚନା ମୁତାବକ ଖଣ୍ଡଗିରି ଥାନା ପୋଲିସ ଶନିବାର ନନ୍ଦିପଦା ଥାନାରେ ପହଞ୍ଚି ଥିଲା। ଉଭୟ ପୋଲିସ ଆଲୋଚନା ପରେ ଏକ ଠକେଇ ମାମଲାରେ ସୁରେଶ୍ୱରୀ ସାଗରୀକାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ସୁରେଶ୍ୱରୀଙ୍କୁ ଗିରଫ କରିଥିଲା।

ପରବର୍ତ୍ତୀ ସମୟରେ ନନ୍ଦିପଦା ପୋଲିସ ଅଭିଯୁକ୍ତ ସୁରେଶରୀଙ୍କୁ ଖଣ୍ଡଗିରି ପୋଲିସକୁ ହସ୍ତାନ୍ତର କରାଯାଇଥିଲା l ନନ୍ଦିପଦା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ, ଏକ ଠକେଇ ମାମଲାରେ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରାଯାଇଛି। ମହିଳା ଜଣଙ୍କୁ ଧରିବା ପରେ ଖଣ୍ଡଗିରି ପୋଲିସକୁ ହସ୍ତାନ୍ତର କରାଯାଇଛି l

ଖଣ୍ଡଗିରି ଥାନା ଆଇଆଇଆସି ଅଭିମନ୍ୟୁ ଦାସ କହିଛନ୍ତି ଯେ, ୨୨ଲକ୍ଷ ଟଙ୍କା ଠକେଇ ନେଇ ଖଣ୍ଡଗିରି ଥାନାରେ ଏକ ମାମଲା(ନଂ ୪୬୫/୨୦୨୫) ରୁଜୁ ହୋଇଛି l ସମ୍ପୃକ୍ତ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ମହିଳାଙ୍କୁ ନନ୍ଦିପଦା ଥାନା ଅଞ୍ଚଳରୁ ଗିରଫ କରାଯାଇଛି l

ସୂଚନା ଯୋଗ୍ୟ, ସୁରେଶରୀ ସାଗରିକା ଜେନା ଜୟଦୂର୍ଗା ଫାଉଣ୍ଡେଶନ ନାମରେ ଏକ ସଂସ୍ଥା କରିଛନ୍ତି। ସେ ଉକ୍ତ ସଂସ୍ଥାର ଅଧ୍ୟକ୍ଷା ଅଟନ୍ତି l ସମ୍ପୃକ୍ତ ମହିଳା ସାମାଜିକ କର୍ମୀ ଜଣକ ଗିରଫ ହେବା ପରେ ସ୍ଥାନୀୟ ଅଞ୍ଚଳରେ ସାମାଜିକ କାର୍ଯ୍ୟ ନାମରେ ଏପରି ଠକେଇ ଲଜ୍ଜ୍ୟା ଜନକ ଘଟଣା ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ଗିରଫ ମହିଳାଙ୍କ ନାମରେ ଆହୁରି ବିଭିନ୍ନ ଠକେଇ ମାମଲା ରହିଥିବା ଆଲୋଚନା ହେଉଛି।