ନୂଆଦିଲ୍ଲୀ,୩।୯: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଲୁଟିୟନ୍ସ ବଙ୍ଗଳା ଜୋନରେ ଥିବା ପ୍ରଥମ ସରକାରୀ ବାସଭବନ, ୧୭ ୟୋର୍କ ରୋଡ୍ (ବର୍ତ୍ତମାନ ମୋତିଲାଲ ନେହେରୁ ମାର୍ଗ) ଶୀଘ୍ର ନୂଆ ମାଲିକ ପାଇବାକୁ ଯାଉଛି। ଏହା ଦେଶର ସବୁଠୁ ବଡ଼ ପ୍ରପର୍ଟି ଡିଲ ହେବ ବୋଲି ଅନୁମାନ କରାଯାଉଛି।
ମାମଲା ସହ ଜଡ଼ିତ ଦୁଇ ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ, ୧୪,୯୭୩ ବର୍ଗ ମିଟର ବିଶିଷ୍ଟ ଏହି ସମ୍ପତ୍ତି ପାଇଁ ମାଲିକ ୧,୪୦୦ କୋଟି ଟଙ୍କା ଦାବି କରୁଥିଲେ। କିନ୍ତୁ ଘରୋଇ ପେୟ ଶିଳ୍ପରେ ଦୃ ପ୍ରଭାବ ରଖିଥିବା ଜଣେ ବ୍ୟବସାୟୀ ପ୍ରାୟ ୧,୧୦୦ କୋଟି ଟଙ୍କାରେ ଏହି ଡିଲ ଚୂକ୍ତି କରିଛନ୍ତି। ଏକ ପ୍ରମୁଖ ଲ ଫର୍ମ ଯଥାଯଥ ଯାଞ୍ଚ ପ୍ରକ୍ରିୟାର ଚୂ ପର୍ଯ୍ୟାୟ ଭାବେ ଏକ ସାର୍ବଜନୀନ ନୋଟିସ ଜାରି କରିଛି।
ନୋଟିସରେ କୁହାଯାଇଛି ଯେ, ଆମର ମୁବକ୍କିଲ ୫, ବ୍ଲକ ନମ୍ବର ୧୪, ୧୭ ମୋତିଲାଲ ନେହେରୁ ମାର୍ଗ (ପୂର୍ବରୁ ଯୋର୍କ ରୋଡ), ନୂଆଦିଲ୍ଲୀରେ ଥିବା ୧୪,୯୭୩.୩୮୩ ବର୍ଗ ମିଟର ବିଶିଷ୍ଟ ଆବାସିକ ସମ୍ପତ୍ତି ହାସଲ କରିବାକୁ ଇଚ୍ଛୁକ। ଏହା ପାଇଁ ଆମେ ବର୍ତ୍ତମାନର ମାଲିକ ରାଜକୁମାରୀ କକ୍କ ଏବଂ ବୀନା ରାଣୀଙ୍କ ସ୍ବାମୀତ୍ବ ଯାଞ୍ଚ କରୁଛୁ। ଏହି ସମ୍ପତ୍ତି ସମ୍ବନ୍ଧରେ କୌଣସି ଅଧିକାର ବା ସ୍ବାମୀତ୍ୱ ଦାବି କରୁଥିବା ବ୍ୟକ୍ତି ୭ ଦିନ ମଧ୍ୟରେ ଦଲିଲିକ ପ୍ରମାଣ ସହ ଲିଖିତ ଭାବେ ଆମକୁ ସୂଚନା ଦେଇପାରିବେ। ଅନ୍ୟଥା, ଏହା ମନେ କରାଯିବ ଯେ ଏହି ସମ୍ପତ୍ତି ସମ୍ବନ୍ଧରେ କୌଣସି ପ୍ରତିକୂଳ ସ୍ବାମୀତ୍ୱ ବା ଅଧିକାର ନାହିଁ। ରାଜକୁମାରୀ କକ୍କ ଏବଂ ବୀନା ରାଣୀ ରାଜସ୍ଥାନର ଏକ ପୂର୍ବତନ ରାଜବଂଶରୁ ଅଟନ୍ତି।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ସମ୍ପତ୍ତିର ମୋଟ କ୍ଷେତ୍ରଫଳ ପ୍ରାୟ ୩.୭ ଏକର, ଯେଉଁଥିରୁ ୨୪,୦୦୦ ବର୍ଗ ଫୁଟ ବିକଶିତ। ଭାରତର ପାୱାର କରିଡରର କେନ୍ଦ୍ରରେ ଅବସ୍ଥିତ, ବ୍ରିଟିଶ ଆର୍କିଟେକ୍ଟ ଏଡ଼ଓ୍ବିନ ଲୁଟିୟନ୍ସଙ୍କ ଦ୍ବାରା ୧୯୧୨ ଓ ୧୯୩୦ ମଧ୍ୟରେ ଡିଜାଇନ କରାଯାଇଥିବା ଏଲବିଜେଡ ୨୮ ବର୍ଗ କିଲୋମିଟରରେ ବ୍ୟାପ୍ତ ଏବଂ ଏଥିରେ ପ୍ରାୟ ୩,୦୦୦ ବଙ୍ଗଳା ରହିଛି। ଏଠାରେ ମୁଖ୍ୟତଃ ମନ୍ତ୍ରୀ, ବିଚାରପତି ଏବଂ ବରିଷ୍ଠ ସରକାରୀ ଅଧିକାରୀ ରହନ୍ତି। ଏହି ଅଞ୍ଚଳରେ ପ୍ରାୟ ୬୦୦ ସମ୍ପତ୍ତି ବେସରକାରୀ, ଯାହା ଭାରତର କିଛି ଧନୀ ବ୍ୟକ୍ତିଙ୍କ ଅଧୀନରେ ଅଛି।