ବୁମ୍‌ରାଙ୍କ ଐତିହାସିକ ସଫଳତା, ICC ଶ୍ରେଷ୍ଠ କ୍ରିକେଟର ଭାବେ…

ନୂଆଦିଲ୍ଲୀ,୨୮।୧: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ପକ୍ଷରୁ କ୍ରିକେଟର ଅଫ ଦି ଇୟରଙ୍କ ନାମ ଘୋଷଣା କରାଯାଇଛି। ଏଥିପାଇଁ ୪ ଜଣ ଖେଳାଳ ରେସ୍‌ରେ ଥିଲେ, ଯେଉଁଥିରେ ଭାରତର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ ସହିତ ଇଂଲଣ୍ଡର ବ୍ୟାଟସମ୍ୟାନ ଜୋ ରୁଟ, ହ୍ୟାରି ବ୍ରୁକ ଏବଂ ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ ଟ୍ରାଭିସ ହେଡ ସାମିଲ ଥିଲେ। ହେଲେ ସମସ୍ତଙ୍କୁ ବାଦ୍‌ ଦେଇ ବୁମ୍‌ରା ଏହି ପୁରସ୍କାର ଜିତିଛନ୍ତି। ୨୦୨୪ରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ବୁମ୍‌ରାଙ୍କୁ କ୍ରିକେଟର ଅଫ୍‌ ଦ ଇୟର ସହ ଆଇସିସି ଟେଷ୍ଟ କ୍ରିକେଟର ଅଫ୍‌ ଦ ଇୟର ଭାବେ ମଧ୍ୟ ଚୟନ କରାଯାଇଛି।
ବୁମ୍‌ରାଙ୍କ ପାଇଁ ୨୦୨୪ ବର୍ଷ ବହୁତ ସ୍ମରଣୀୟ ଥିଲା। ସେ ଗତ ବର୍ଷ କୌଣସି ଦିନିକିଆ ଖେଳି ନ ଥିଲେ, ହେଲେ ସେ ଟେଷ୍ଟ ଏବଂ T୨୦ ରେ ସବୁଠାରୁ ସଫଳ ବୋଲର ଥିଲେ। ୧୭ ବର୍ଷ ପରେ ଟିମ ଇଣ୍ଡିଆକୁ ଟି-୨୦ ବିଶ୍ୱକପ ଟାଇଟଲ ଜିତିବାରେ ସେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଟୁର୍ନାମେଣ୍ଟରେ ସେ ୮ଟି ମ୍ୟାଚ୍‌ରେ ମାତ୍ର ୪.୧୭ ଇକୋନୋମି ହାରରେ ରନ୍‌ ଦେଇଥିଲେ ଏବଂ ୧୫ ଉଇକେଟ ନେଇଥିଲେ। ସେ ସବୁଠାରୁ ଇକୋନୋମିକ୍‌ ବୋଲର ଥିଲେ ଏବଂ ସର୍ବାଧିକ ଉଇକେଟ ନେବାରେ ତୃତୀୟ ସ୍ଥାନରେ ଅଛନ୍ତି।
ଅନ୍ୟପକ୍ଷରେ, ଗତ ବର୍ଷ ବୁମ୍‌ରା ଟେଷ୍ଟରେ ସବୁଠାରୁ ସଫଳ ବୋଲର ମଧ୍ୟ ଥିଲେ। ସେ ଏହି ବର୍ଷ ମୋଟ ୧୩ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୧୪.୯୨ ହାରରେ ୭୧ଟି ଉଇକେଟ ନେଇଥିଲେ। ସେ ଗତ ବର୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ଉଇକେଟ ଦଖଲକାରୀ ମଧ୍ୟ ଥିଲେ। ଗତ ବର୍ଷ ଟେଷ୍ଟରେ ଘରୋଇ ପରିବେଶରେ ଇଂଲଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ ଦଳର ବିଜୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ, ସେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।
ଗତବର୍ଷ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବୁମ୍‌ରାଙ୍କୁ ICC ବର୍ଷର ଶ୍ରେଷ୍ଠ କ୍ରିକେଟର ଏବଂ ICC ବର୍ଷର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବରେ ସମ୍ମାନିତ କରାଯାଇଛି। ପ୍ରଥମ ଥର ପାଇଁ ଭାରତର କୌଣସି ଦ୍ରୁତ ବୋଲର ଏହି ICC ପୁରସ୍କାର ଜିତିଛନ୍ତି। ସେହିଭଳି ଗୋଟିଏ ବର୍ଷରେ ଦୁଇଟି ICC ପୁରସ୍କାର ଜିତିବାରେ ବୁମ୍‌ରା ବିଶ୍ୱର ତୃତୀୟ ବୋଲର ହୋଇଛନ୍ତି।