ନୂଆଦିଲ୍ଲୀ,୧୧।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍କା। ଟିମ ଇଣ୍ଡିଆର ଷ୍ଟାର ଫାଷ୍ଟ ବୋଲର ଜସପ୍ରିତ ବୁମରାହ ଏହି ଟୁର୍ନାମେଣ୍ଟରେ ଖେଳିପାରିବେ କି ନାହିଁ ସେନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆ ଗସ୍ତର ଶେଷ ମ୍ୟାଚ୍ ସମୟରେ ସପ୍ରିତ ବୁମରା ଆହତ ହୋଇଥିଲେ, ଯାହା ପରେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା। ସେହି ସମୟରେ, ବୁମରାହ ସମ୍ପ୍ରତି ତାଙ୍କ ପିଠି ସ୍କାନ କରିବା ପାଇଁ ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ ଏକ୍ସେଲେନ୍ସ ଯାଇଥିଲେ। ହେଲେ ଏବେ ସେ ଚାମ୍ପିଅନ୍ସ ଟ୍ରଫି ଖେଳିପାରିବେ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି।
ESPNcricinfoର ଏକ ରିପୋର୍ଟ ଅନୁଯାୟୀ, ଜସପ୍ରିତ ବୁମରା ଏପର୍ଯ୍ୟନ୍ତ ତାଙ୍କ ପିଠି ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଏଣୁ ସେ ୨୦୨୫ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡ଼ିଛନ୍ତି। ଯଦିଓ ବେଙ୍ଗାଲୁରୁରେ ବୁମ୍ରାଙ୍କ ସ୍କାନରେ କିଛି ଅସ୍ବାଭାବିକ ମିଳିନାହିଁ, ତଥାପି ସେ ବୋଲିଂ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୁହନ୍ତି। ସମ୍ଭବତଃ ସେ କିଛି ସପ୍ତାହ ମଧ୍ୟରେ ଦୌଡ଼ିବା ଆରମ୍ଭ କରିବେ। ତା’ପରେ ଧୀରେ ଧୀରେ ବୋଲିଂ ଆରମ୍ଭ କରିବେ। ସେପର୍ଯ୍ୟନ୍ତ ବିସିସିଆଇ ଡାକ୍ତରୀ ଦଳ ତାଙ୍କ ଫିଟ୍ନେସ୍ ଉପରେ ନଜର ରଖିବେ।
ସୂଚନାନୁଯାୟୀ, ଜାନୁଆରୀ ୧୮ ତାରିଖରେ ଘୋଷିତ ଚାମ୍ପିଅନ୍ସ ଟ୍ରଫି ପାଇଁ ୧୫ ଜଣିଆ ଦଳରେ ବୁମରାଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ଏବେ ବିସିସିଆଇକୁ ଟିମ ଇଣ୍ଡିଆରେ ପରିବର୍ତ୍ତନ କରିବାକୁ ପଡିଛି। ବୁମରାହଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସାମିଲ କରାଯାଇଛି, ଯାହାକୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବୁମରାହଙ୍କ ବ୍ୟାକଅପ୍ ଭାବରେ ସାମିଲ କରାଯାଇଥିଲା। ଏହି ସିରିଜରେ ହର୍ଷିତ ରାଣା ମଧ୍ୟ ତାଙ୍କର ଏକଦିବସୀୟ ଡେବ୍ୟୁ କରିଥିଲେ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ଉଇକେଟକିପର), ରିଷଭ ପନ୍ତ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ରବିନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ।