ନୂଆଦିଲ୍ଲୀ,୮।୩: ଜସପ୍ରିତ ବୁମ୍ରାଙ୍କୁ କ୍ରିକେଟ ମଇଦାନକୁ ଫେରିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ। ଆଘାତ ଯୋଗୁ ବୁମ୍ରା ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଖେଳିପାରିନଥିଲେ, ଏବେ ଏକ ନୂତନ ଅପଡେଟ ଆସିଛି ଯେ ସେ ଆଇପିଏଲ ୨୦୨୫ର ପ୍ରଥମ ଦୁଇ ସପ୍ତାହରେ କୌଣସି ମ୍ୟାଚ ଖେଳିପାରିବେ ନାହିଁ। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୁମ୍ରା ଏପ୍ରିଲ ମାସରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇପାରନ୍ତି, ଯେତେବେଳେ ଆଇପିଏଲ ୨୦୨୫ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି।
ବିସିସିଆଇର ଏକ ସୂତ୍ର କହିଛି, ବୁମ୍ରାଙ୍କ ଡାକ୍ତରୀ ରିପୋର୍ଟ ଭଲ ଅଛି। ସେ ସେଣ୍ଟର ଅଫ ଏକ୍ସଲେନ୍ସରେ ବୋଲିଂ ଅଭ୍ୟାସ ଆରମ୍ଭ କରିଛନ୍ତି। କିନ୍ତୁ ଆଇପିଏଲର ପ୍ରାରମ୍ଭିକ ମ୍ୟାଚରେ ତାଙ୍କ ଖେଳିବା ନେଇ ଆଶା କମ୍। ବର୍ତ୍ତମାନର ପରିସ୍ଥିତି ଅନୁସାରେ, ଏପ୍ରିଲ ପ୍ରଥମ ସପ୍ତାହରେ ତାଙ୍କର ପ୍ରତ୍ୟାବର୍ତ୍ତନ ସମ୍ଭବ।