ଟୋକିଓ,୯ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତାର ସହ ବିଜୟୀ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଟାକାଇଚିଙ୍କ ନେତୃତ୍ୱରେ ୨ ଦେଶ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହେବା ନେଇ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। ନିମ୍ନ ସଦନର ୪୬୫ ଆସନ ମଧ୍ୟରୁ ଲିବେରାଲ ଡେମୋକ୍ରାଟିକ୍ ପାର୍ଟି ନେତୃତ୍ୱରେ ଟାକାଇଚିଙ୍କ ଶାସକ ମେଣ୍ଟ ଦୁଇ-ତୃତୀୟାଂଶରୁ ଅଧିକ ଆସନ ଜିତିବା ଏକପ୍ରକାର ନିଶ୍ଚିତ ବୋଲି ଏକ୍ଜିଟ୍ ପୋଲ୍ରେ ପୂର୍ବାନୁମାନ କରାଯାଇଥିଲା। ବୃହତ୍ ଜନାଦେଶ ଫଳରେ ଟାକାଇଚି ଜାପାନର ଅର୍ଥନୀତି ଏବଂ ସାମରିକ ସାମର୍ଥ୍ୟ ବୃଦ୍ଧି ଦିଗରେ ବଡ଼ ପଦକ୍ଷେପ ନେବା ପାଇଁ ସୁଯୋଗ ପାଇବେ। ଚାଇନା ସହ ଜାପାନର ଉତ୍ତେଜନା ବଢ଼ିଥିବାବେଳେ ଟାକାଇଚି ଆମେରିକା ସହ ସମ୍ପର୍କ ବଢ଼ାଇବାକୁ ଉଦ୍ୟମ ଚଳାଇଛନ୍ତି।